ଶେଷରେ ବିଜେଡିରୁ ବିଦା ହେଲେ ରାଜେନ୍ଦ୍ର ଦାସ । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଦଳ ତାଙ୍କୁ ବହିଷ୍କାର କରିଛି । ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ଉପନିର୍ବାଚନରେ ଟିକଟ ନ ଦେଇ ଦଳ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କଲା । ଏଥିରେ କ୍ଷୁବ୍ଧ ରାଜେନ୍ଦ୍ର ଧାମନଗର ଉପନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢୁଛନ୍ତି । ନିର୍ବାଚନ ପ୍ରତିଦ୍ବନ୍ଦିତାରୁ ରାଜେନ୍ଦ୍ରଙ୍କୁ ନିବୃତ୍ତ କରାଇବା ପାଇଁ ଦଳର ସମସ୍ତ ଉଦ୍ୟମ ସତ୍ତ୍ବେ ସେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନ ଥିଲେ । ଦଳୀୟ କାର୍ଯ୍ୟାନୁଷ୍ଠାନ ପରେ ରାଜେନ୍ଦ୍ର କହିଛନ୍ତି, ଦଳୀୟ ନିଷ୍ପତ୍ତିକୁ ସେ ସ୍ବାଗତ କରୁଛନ୍ତି । ଲୋକଙ୍କ ସେବା ପାଉଁ ସେ ରାଜନୀତି କରୁଛନ୍ତି ଏବଂ ଦଳୀୟ କାର୍ଯ୍ୟାନୁଷ୍ଠାନ ବଡକଥା ନୁହେଁ ବୋଲି ସେ କହିଛନ୍ତି । ଧାମନଗର ଉପନିର୍ବାଚନରେ ରାଜେନ୍ଦ୍ରଙ୍କ ପ୍ରାର୍ଥିତ୍ବ ବିଜେଡିକୁ ଅଡୁଆରେ ପକାଇଛି । ଭୋଟ ବିଭାଜନର ଭୟ ଏବେ ବିଜେଡିକୁ ଘାରିଛି ।
ବିଜେପି ବିଧାୟକ ବିଷ୍ଣ ସେଠୀଙ୍କ ବିୟୋଗ ପରେ ଧାମନଗରରେ ଉପନିର୍ବାଚନ ହେଉଥିବା ବେଳେ ବିଜେପିରୁ ବିଷ୍ଣ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ବିଜେଡିରୁ ଅବନ୍ତୀ ଦାସ ପ୍ରାର୍ଥୀ ହୋଇଛନ୍ତି । ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ସ୍ବାଧୀନ ଭାବେ ନିର୍ବାଚନ ଲଢୁଛନ୍ତି ।