ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡିଶା ଗସ୍ତ । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସ୍ବତନ୍ତ୍ର ଚପର ଯୋଗେ ସିଧା ପହଞ୍ଚିଥିଲେ ପୁରୀରେ । ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ କରାଯିବା ପରେ ରାଷ୍ଟ୍ରପତି ପହଞ୍ଚିଥିଲେ ପୁରୀ ବଡଦାଣ୍ଡରେ । ପ୍ରୋଟୋକଲ ଭାଙ୍ଗି ବଡଦାଣ୍ଡ ବଳଗଣ୍ଡି ଛକରେ ଗାଡି ରଖି ଓହ୍କାଇପଡିଥିଲେ ସେ । ବଡଦାଣ୍ଡର ଧୂଳି ମୁଣ୍ଡରେ ମାରି ପତିତପାବନ ବାନାକୁ ମୁଣ୍ଡିଆ ମାରିଥିଲେ । ବଡଦାଣ୍ଡରେ କାଳିଆ ଠାକୁରକୁ ସାଷ୍ଟାଙ୍ଗ ପ୍ରଣିପାତ କରିବା ପରେ ବଳଗଣ୍ଡି ନିକଟରୁ ସିଂହଦ୍ବାର ଯାଏଁ ଚାଲି ଚାଲି ଯାଇଥିଲେ ଦ୍ରୌପଦୀ । ହାତ ଟେକି କାଳିଆକୁ ମୁଣ୍ଡିଆ ମାରିଥିଲେ । ରାସ୍ତାକଡରେ ଛିଡା ହୋଇଥିବା ପିଲାମାନଙ୍କ ସହ ଫଟୋ ଉଠାଇଥିଲେ । ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ଅପେକ୍ଷା କରିଥିବା ଲୋକମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ ।
ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ହେଉଛି ପ୍ରଥମ ଗସ୍ତ । ରାଷ୍ଟ୍ରପତିଙ୍କୁ ସିଂହଦ୍ବାରରେ ଗଜପତି ମହାରାଜ ଦିବ୍ୟସିଂହଦେବ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବା ସହ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ତେବେ ଜଣେ ସାଧାରଣ ଓଡିଆ ଭକ୍ତ ଯେପରି ଶ୍ରୀମନ୍ଦିରକୁ ଆସି ପ୍ରଥମେ ଅରୁଣସ୍ତମ୍ଭକୁ ଛୁଇଁ ମୁଣ୍ଡିଆ ମାରିଥାଏ, ସେମିତି ଦ୍ରୌପଦୀ ଅରୁଣ ସ୍ତମ୍ଭକୁ ଛୁଇଁ ମୁଣ୍ଡିଆ ମାରିବା ପରେ ପାଦ ଧୋଇଥିଲେ । ସିଂହଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁ କରୁ ପତିତପାବନଙ୍କୁ ମୁଣ୍ଡିଆ ମାରି ବାଇଶ ପାହଚ ଚଢିଥିଲେ । ଭାବରେ ତଲ୍ଲୀନ ହୋଇଯାଇଥିଲେ ରାଷ୍ଟ୍ରପତି ।