ବିବାହ ପ୍ରତିଶ୍ରୁତି ଦେଇ ପ୍ରାପ୍ତ ବୟସ୍କ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ଅପରାଧ ନୁହେଁ । ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । କିଛି କ୍ଷେତ୍ରରେ ମହିଳାମାନେ ନିଜ ଇଛାରେ ସମ୍ପର୍କ ରଖୁଛନ୍ତି । ତେଣୁ ଏଭଳି ଘଟଣାରେ ଦୁଷ୍କର୍ମ ସଙ୍କ୍ରାନ୍ତୀୟ ଆଇନ ବ୍ୟବହାର ହେବା ଉଚିତ ନୁହେଁ ବୋଲି ଜଷ୍ଟିସ୍ ସଞ୍ଜୀବ ପାଣିଗ୍ରାହୀଙ୍କ ଖଣ୍ଡପୀଠ କହିଛନ୍ତି । ଆଇପିସିର ଧାରା ୩୭୫ ଅନୁସାରେ, ପୀଡିତାଙ୍କ ସହିତ ଘଟିଥିବା ନିର୍ଦ୍ଦିଷ୍ଟ ଯୌନ ନିର୍ଯ୍ୟାତନା ପ୍ରସଙ୍ଗକୁ ଦୁଷ୍କର୍ମ ଅପରାଧ ପରିସରଭୁକ୍ତ କରାଯାଇଛି । କିନ୍ତୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ଘଟଣା ଏହାର ଅନ୍ତର୍ଭୁକ୍ତ ନୁହଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ହାଇକୋର୍ଟ ଏଭଳି ରାୟ ଶୁଣାଇଛନ୍ତି । ୨୦୨୦ ଜାନୁଆରୀ ୧୨ରେ ଜଣେ ପ୍ରାପ୍ତ ବୟସ୍କା ପୀଡିତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଅଭିଯୁକ୍ତ ସନ୍ତୋଷ କୁମାର ନାଏକ ସାଙ୍ଗରେ ଭୁବନେଶ୍ୱର ଆଣିବା ପରେ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା । କିଛିଦିନ ପରେ ଅଭିଯୁକ୍ତ ପୀଡିତାଙ୍କୁ ଛାଡି ଫେରାର ହୋଇଯାଇଥିଲା । ଖବର ପାଇ ତାଙ୍କୁ ଉଦ୍ଧାର କରିଥିଲେ ପୀଡିତାଙ୍କ ପରିବାର ଲୋକେ । ନିମାପଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ନିମ୍ନ ଅଦାଲତରେ ଜାମିନ୍ ଖାରଜ ହେବା ପରେ ଅଭିଯୁକ୍ତ ଜାମିନ୍ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଭିଯୁକ୍ତ ସନ୍ତୋଷ କୁମାର ନାଏକଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରି ମାମଲାରେ ପୂର୍ଣ୍ଣଛେଦ୍ ପକାଇଛନ୍ତି ହାଇକୋର୍ଟ ।