ନବ ଦାସ ମୃତ୍ୟୁକୁ ଏହା ମଧ୍ୟରେ ସପ୍ତାହେ ବିତି ଯାଇଛି । ଘଟଣାର ୮ ଦିନ ପରେ ଗଣ ମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସିଧା ସଳଖ ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏପରିକି ଘଟଣା ତଦନ୍ତ ପ୍ରକ୍ରିୟା କୁ ନେଇ, ଓଡିଆ ଢଗ ଢମାଳି କହି ସରକାରଙ୍କୁ ଘେରିଛନ୍ତି । ମୁଁ ଗୁହାରି କରୁଛି ଯାହାକୁ ତୁ ଗେରସ୍ତ କରିଛୁ ତାହାକୁ କହି ରାଜ୍ୟ ପୁଲିସ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର l ଶ୍ରୀ ପ୍ରଧାନ କହିଛନ୍ତି ଯେ ପୁଲିସ୍ ବିଭାଗର ଜଣେ ଏଏସ୍ଆଇ ସ୍ତରର କର୍ମଚାରୀ ସ୍ପଷ୍ଟ ଦିବାଲୋକରେ ସରକାରୀ ବନ୍ଧୁକରୁ ଗୁଳି କରି ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା କଲେ। ନୈତିକତା ତଥା ନ୍ୟାୟ ଦୃଷ୍ଟିରୁ ସରକାର ଏହାର ତଦନ୍ତ ଭାର ତୃତୀୟ ପକ୍ଷକୁ ହସ୍ତାନ୍ତର କରିବାକୁ ବିଚାର କରିବା କ’ଣ ଠିକ୍ ହୋଇ ନଥା’ନ୍ତା? ସରକାର ଏହି ଘଟଣାର ତଦନ୍ତକୁ ନେଇ ଆଦୌ ଗମ୍ଭୀର ନାହାନ୍ତି। ଯଦି ସରକାର ଗମ୍ଭୀର ଥାଆନ୍ତେ, ତା’ହେଲେ ତଦନ୍ତ ପ୍ରକ୍ରିୟାକୁ ତଦାରଖ କରିବାକୁ ଜଣେ ସିଟିଂ ଜଜ୍ଙ୍କୁ ନିଯୁକ୍ତ କରିବାକୁ ଅନୁରୋଧ କରିଥା’ନ୍ତେ। ଯେତେବେଳେ ସରକାର ତଦନ୍ତ ପ୍ରକ୍ରିୟା ତଦାରଖ କରିବା ପାଇଁ ହାଇକୋର୍ଟଙ୍କୁ ଚିଠି ଲେଖିଲେ, ସେଥିରେ ଜଣେ ସିଟିଂ ଜଜ୍ଙ୍କୁ ଦାୟିତ୍ୱ ଦେଲେ ମଧ୍ୟ ହେବ ବୋଲି କହିଥିଲେ। ଯଦି ସରକାର ଗମ୍ଭୀର ଥାଆନ୍ତେ କେବଳ ହାଇକୋର୍ଟର ଜଣେ ସିଟିଂ ଜଜ୍ଙ୍କୁ ଦାୟିତ୍ୱ ଦେବାକୁ ଲେଖିଥାଆନ୍ତେ।














