ରାଷ୍ଟ୍ରପତି ହେବା ପରେ ମୟୁରଭଞ୍ଜକୁ ପ୍ରଥମ ଗସ୍ତରେ ଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଥିଲା । ମାତ୍ର ଆଜି ରାଷ୍ଟ୍ରପତି ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଭାଷଣ ଦେଉଥିବା ବେଳେ ବିଦ୍ୟୁତ କଟିଗଲା । ନ’ ମିନିଟ ପାଇଁ ବିଦ୍ୟୁତ କଟିଯିବାରୁ ରମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅନ୍ଧାରରେ ଭାଷଣ ଦେବାକୁ ହେଲା । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ କେମିତି ବିଦ୍ୟୁତ କଟିଗଲା ଏବଂ ବିଦ୍ୟୁତ କଟିବା ପରେ ଜେନେରେଟର ବି ନ ଚାଲିବାକୁ ନେଇ ବିରୋଧୀ ସରକାରଙ୍କୁ ସମାଲୋଚନା କରିଛନ୍ତି । ଅପରପକ୍ଷରେ ଏହି ଘଟଣାରେ ବିଶ୍ବବିଦ୍ୟାଳୟର ଜଣେ ବିଦ୍ୟୁତ କର୍ମଚାରୀ ଜୟନ୍ତ ତ୍ରିପାଠୀଙ୍କୁ କର୍ତ୍ତୃପକ୍ଷ ନିଲମ୍ବିତ କରିଛନ୍ତି । ବିଶ୍ବବିଦ୍ୟାଳୟର କୁଳପତି ସନ୍ତୋଷ ତ୍ରିପାଠୀ ଘଟଣା ପାଇଁ କ୍ଷମା ମାଗିବା ସହ ଆବଶ୍ୟକ ହେଲେ ସେ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ତେବେ ବିଦ୍ୟୁତ କଟିବା ଘଟଣାର ଅନୁସନ୍ଧାନ ପାଇଁ କୁଳପତି ଏକ କମିଟି ଗଠନ କରିଛନ୍ତି । ବିଦ୍ୟୁତ କଟିବା ପରେ ଜେନେରେଟର ନ ଚାଲିବା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅଡୁଆରେ ପକାଇଛି । ରାଷ୍ଟ୍ରପତିଙ୍କ ସଭାରେ ବିଦ୍ୟୁତ କଟିବା ଘଟଣାକୁ ରାଜ୍ୟ ସରକାର ମଧ୍ୟ ଗମ୍ଭୀରତାର ସହ ନେଇଛନ୍ତି । କେନ୍ଦ୍ରାଞ୍ଚଳ ଆରଡିସି ଘଟଣାର ତଦନ୍ତ କରାଯାଇ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଜିଲ୍ଲାପାଳ ଘଟଣାର ତଦନ୍ତ ଆଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଟାଟା ପାଓ୍ୱାର ପକ୍ଷରୁ ସଫେଇ ଦିଆଯାଇ କୁହାଯାଇଛି, ଆମ ଆଡୁ କିଛି ସମସ୍ୟା ନ ଥିଲା । ଟାଟା ପାଓ୍ବାର ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି, ବିଦ୍ୟୁତ ୟୋଗାଇବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିଲା । ଇଣ୍ଟରନାଲ ଓ୍ବେୟାରିଂରେ ତ୍ରୁଟି ଏଭଳି ଘଟିଥାଇପାରେ । କାରଣ ଯାହା ବି ହୋଇଥାଉ, ରାଷ୍ଟ୍ରପତି ଅନ୍ଧାରରେ ଭାଷଣ ଦେବା ସମସ୍ତଙ୍କୁ ଲଜ୍ଜିତ କରିଛି ।

LEAVE A REPLY

Please enter your comment!
Please enter your name here