ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ବିଧାୟକ ଶଶୀଭୂଷଣ ବେହେରାଙ୍କ ବିରୋଧରେ ବୋହୁ ରୋନାଲି ଆଣିଲେ ନିର୍ଯାତନା ଅଭିଯୋଗ । ବାଙ୍କୀ ଥାନାରେ ମାମଲା ରୁଜୁ ହେବା ପରେ ଅଡୁଆରେ ପଡିଛନ୍ତି ବିଧାୟକ ଶଶୀଭୂଷଣ । ଶଶୀଭୂଷଣଙ୍କ ବୋହୁ ରୋନାଲି କରିଥିବା ଅଭିଯୋଗ ଅନୁଯାୟୀ 2021ରେ ତାଙ୍କର ବାହାଘର ହୋଇଥିଲା । ମାତ୍ର ବାହାଘରର ଅଳ୍ପଦିନ ପରେ ତାଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଯାଇଥିଲା । କେତେବେଳେ ଟଙ୍କା ପାଇଁ ତ ଆଉ କେତେବେଳେ ସୁନା ପାଇଁ ଦାବି କରୁଥିଲେ ।
ବାହାଘର ପରେ ତାଙ୍କ ସ୍ବାମୀ ସତ୍ୟପ୍ରକାଶ 40 ଲକ୍ଷ ଟଙ୍କା ଆଣିବାକୁ ଦାବି କରି ଆସୁଥିଲେ । ଏଥିପାଇଁ ତାଙ୍କୁ ଶାଶୁ ଘରେ ମାରଧର କରାଯାଉଥିଲା । ଏ ସଂପର୍କରେ ସେ ତାଙ୍କ ଶ୍ବଶୁର ଶଶୀଭୂଷଣ ବେହେରାଙ୍କୁ କହିବାରୁ ସେ ବି ତାଙ୍କୁ ଗାଳିଗୁଜ କରିଥିଲେ । ନ୍ୟାୟ ପାଇବାକୁ ଦାବି କରି ସେ ବାଙ୍କୀ ଥାନାରେ ଏତଲା ଦାୟର କରିଛନ୍ତି । ଶ୍ବଶୁର ବିଧାୟକ ଶଶୀଭୂଷଣ ବେହେରା, ଶାଶୁ ସୁପ୍ରଭା ଏବଂ ତାଙ୍କ ସ୍ବାମୀ ସତ୍ୟପ୍ରକାଶଙ୍କ ସମେତ ପାଞ୍ଚଜଣଙ୍କ ନାଁରେ ଏତଲା ଦେଇଛନ୍ତି ରୋନାଲି ।
ଅନ୍ୟପକ୍ଷରେ ଶଶୀଭୂଷଣ କହିଛନ୍ତି, ବୋହୁ ରୋନାଲିଙ୍କ ଅଭିଯୋଗ ଭିତ୍ତିହୀନ । ଏଥିରେ କୌଣସି ସତ୍ୟତା ନାହିଁ । ପୁଅ ବୋହୁଙ୍କ ମଧ୍ୟରେ ମତାନ୍ତର ଥାଇପାରେ, ମାତ୍ର ଯୌତୁକ ନିର୍ଯାତନା ଅଭିଯୋଗ ଅମୂଳକ ବୋଲି ସେ କହିଛନ୍ତି ।
ବାଙ୍କିର ଗୋଖା ବେହେରାଙ୍କ ଝିଅ ରୋନାଲି କହିଛନ୍ତି, ସେ ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଦଣ୍ଡ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି । ମାତ୍ର ତାଙ୍କ ଶାଶୁ, ଶ୍ବଶୁର, ସ୍ବାମୀ ଯଦି ଦୋଷୀ ସାବ୍ୟସ୍ତ ହେବେ, ସେମାନେ ମଧ୍ୟ ଦଣ୍ଡିତ ହେବା ଉଚିତ ।