ବାହାଗନା ଟ୍ରେନ ଟ୍ରାଜେଡିରେ ମୃତ୍ୟୁସଂଖ୍ୟା 261ରେ ପହଞ୍ଚିଛି । ଦକ୍ଷିଣପୂର୍ବ ରେଳପଥ ଦେଇଥିବା ସୂଚନା ଅନୁଯାୟୀ, ମୃତ୍ୟୁସଂଖ୍ୟା 261ରେ ପହଞ୍ଚିଥିବା ବେଳେ ଆହତଙ୍କ ସଂଖ୍ୟା 900 ଅତିକ୍ରମ କରିଛି ।
ଦୁର୍ଘଟଣା ପରଠୁ ଗତ 18 ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚାଲିଛି । ସକାଳ ସୁଦ୍ଧା ମୃତ୍ୟୁ ସଂଖ୍ୟା 233ରେ ପହଞ୍ଚିଥିବା ବେଳେ ଉଦ୍ଧାର କାର୍ଯ୍ୟ ସହ ମୃତାହତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଉଦ୍ଧାର କାର୍ଯ୍ୟରେ ବାୟୁସେନା, ଏନଡିଆରଏଫ, ଓଡ୍ରାଫ ଟିମ୍ ସହ ସ୍ଥାନୀୟ ଲୋକେ ପ୍ରଶାସନ ସହ ମିଶି ରାତିତମାମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ତେବେ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ଦୁର୍ଘଟଣାଗ୍ରସ୍ତ ଟ୍ରେନ ବଗିଗୁଡିକ ତଳୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାରକାର୍ଯ୍ୟ ଅଠରଘଣ୍ଟା ପରେ ବି ଶେଷ ହୋଇନାହିଁ । ଉଦ୍ଧାରକାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ରେଳପଥ ମରାମତି କାମ ଆରମ୍ଭ କରାଯାଇଛି ବୋଲି ରେଲମନ୍ତ୍ରୀ ଅଶ୍ବିନୀ ବୈଷ୍ମବ କହିଛନ୍ତି । ରେଳ ଦୁର୍ଘଟଣାର କାରଣ ଖୋଜି ବାହାର କରାଯିବ ଏବଂ ଦୁର୍ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ।