ବଲିଉଡ କାହାଣୀଠୁ କିଛି କମ୍ ରୋଚକ ନୁହେଁ ଏ ଖବର । ଭାରତୀୟ ଯୁବକଙ୍କ ପ୍ରେମରେ ପଡି ଜଣେ ପାକିସ୍ତାନୀ ଯୁବତୀ ବିନା ଭିସାରେ ନେପାଳ ଦେଇ ଭାରତ ମଧ୍ୟକୁ ଅନୁପ୍ରବେଶ କରିଥିଲେ । କେବଳ ସେ ଏକା ନୁହଁନ୍ତି, ସାଙ୍ଗରେ ତାଙ୍କର ଚାରୋଟି ଛୁଆଙ୍କୁ ବି ନେଇ ଆସିଥିଲେ । ମାତ୍ର କୋଉଠି ବି ଧରା ପଡି ନ ଥିଲେ । ଗ୍ରେଟର ନଏଡାରେ ଘର ଭଡା ନେଇ ଭାରତୀୟ ପ୍ରେମିକଙ୍କ ସହ ରହିବାର ମାସେ ପର୍ଯ୍ୟନ୍ତ ବି ପୋଲିସ ଟେର୍ ପାଇ ନ ଥିଲା । ଜୁଲାଇ 4 ତାରିଖରେ ପୋଲିସ ପାକିସ୍ତାନୀ ଯୁବତୀଙ୍କୁ ବିନା ଭିସାରେ ଭାରତ ଆସିଥିବା କାରଣରୁ ଗିରଫ କରିଥିଲା ।
ଏ ପ୍ରେମ କାହାଣୀ ହେଉଛି 30 ବର୍ଷୀୟ ପାକିସ୍ତାନୀ ଯୁବତୀ ସୀମା ହାଇଦର ଓ 25 ବର୍ଷୀୟ ଭାରତୀୟ ଯୁବକ ସଚ୍ଚିନ ମୀନାଙ୍କର । କୋଭିଡ ସମୟରେ ଅନ ଲାଇନ ପବଜି ଖେଳରୁ ସେମାନଙ୍କ ପରିଚୟ ହୋଇଥିଲା । ଆଉ ପରିଚୟରୁ ସଂପର୍କର ଘନିଷ୍ଠତା ବଢିଥିଲା, ଆଉ ତା ପରେ ପ୍ରେମ । ଗତ ମାର୍ଚ୍ଚ ମାସରେ ସେମାନେ ପରସ୍ପରକୁ ନେପାଳରେ ଭେଟିଥିଲେ । ଏବଂ ଦେଖା ସାକ୍ଷାତ ପରେ ମନ୍ଦିରରେ ସେମାନେ ବିବାହ କରିଥିଲେ । ସପ୍ତାହେ ଏକାଠି ରହିବା ପରେ ସୀମା ପାକିସ୍ତାନ ଫେରିଯାଇଥିଲେ ଏବଂ ସଚ୍ଚିନ ଭାରତ ଫେରିଆସିଥିଲେ । ପାକିସ୍ତାନ ଫେରିବା ପରେ ସେ ଭାରତ ଆସିବା ପାଇଁ ଏକ ଜମି ବିକ୍ରି କରି 12 ଲକ୍ଷ ଟଙ୍କା ଯୋଗାଡ କରିଥିଲେ । ନେପାଳ ଆସିବା ପାଇଁ ଭିସା ପ୍ରସ୍ତୁତ କରିଥିଲେ । ନିଜର ଚାରୋଟି ପୁଅଝିଅଙ୍କୁ ସାଙ୍ଗରେ ଧରି ପ୍ରଥମେ ପାକିସ୍ତାନରୁ ଦୁବାଇ ଆସିଥିଲେ । ଦୁବାଇରେ ଏଗାରଘଣ୍ଟା ଅପେକ୍ଷା କରିବା ପରେ ନେପାଳ ଆସିଥିଲେ । ନେପାଳରେ ପହଞ୍ଚିବା ପରେ କାଠମାଣ୍ଡୁରୁ ନୂଆଦିଲ୍ଲୀକୁ ବସ୍ ଯୋଗେ ଆସିଥିଲେ । ଗତ ମେ 13 ତାରିଖରେ ଗ୍ରେଟର ନଏଡାରେ ପ୍ରେମିକା ସୀମା ହାଇଦର ଚାରି ଶିଶୁଙ୍କ ସହ ପହଞ୍ଚିବା ପରେ ତାଙ୍କୁ ଏକ ଭଡା ଘରେ ରଖିଥିଲେ ସଚ୍ଚିନ ମୀନା । ଭଡା ଘରେ ଉଭୟ ମାସେ କାଳ ରହିବା ଭିତରେ ବି ପୋଲିସ ସେମାନଙ୍କର ଟେର୍ ପାଇ ନ ଥିଲା । ମାତ୍ର ଭାରତରେ ଆଇନଗତ ଭାବେ ବିବାହ କରିବା ଏବଂ ପିଲାମାନଙ୍କୁ ସ୍କୁଲରେ ପାଠ ପଢାଇବା ପାଇଁ ସଚ୍ଚିନଙ୍କୁ ଆଗରେ ଜିଦ୍ କଲେ ସୀମା । କାରଣ ଘର ଭିତରେ ରହି ସେ ପୁରାପୁରି ବୋର୍ ହୋଇ ଯାଇଥିଲେ । କାଳେ କିଏ ଜାଣିବ ଏବଂ ପୋଲିସ ହାତରେ ଧରାପଡିବାର ଭୟ ବି ସେମାନଙ୍କୁ ଘାରିଥିଲା । ଶେଷରେ ପତ୍ନୀ ସୀମାଙ୍କ ଆଧାର କାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ସେ ଜଣେ ଓକିଲଙ୍କୁ ପରାମର୍ଶ କଲେ । ଓକିଲଙ୍କୁ ପରାମର୍ଶ କରିବା ପରଦିନ ଜୁଲାଇ 4 ତାରିଖରେ ପୋଲିସ ତାଙ୍କୁ ଗିରଫ କରି ନେଇଥିଲା । ବିନା ଭିସାରେ ସୀମା ଭାରତ ମଧ୍ୟକୁ ଅନୁପ୍ରବେଶ କରିଥିବା ଏବଂ ସଚ୍ଚିନ ଅନୁପ୍ରବେଶକାରୀଙ୍କୁ ଆଶ୍ରୟ ଦେଇଥିବା କାରଣରୁ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଫରଓ୍ୱାର୍ଡ କରିଥିଲା । ମାତ୍ର କୋର୍ଟରେ ସେମାନଙ୍କୁ ଜାମିନ ମିଳିବା ପରେ ଏବେ ଦୁଇ ପ୍ରେମିକ ପ୍ରେମିକା ଆଶ୍ବସ୍ତ ହୋଇଛନ୍ତି ।
ସୀମା ହାଇଦର କହିଛନ୍ତି, ତାଙ୍କ ସ୍ବାମୀ ଭାରତୀୟ ହିନ୍ଦୁ । ତେଣୁ ଏବେ ସେ ଭାରତୀୟ ଏବଂ ହିନ୍ଦୁ । ହାତରେ ଚୁଡି, ମୁଣ୍ଡରେ ସିନ୍ଦୁର ପିନ୍ଧି ସୀମା ଏବେ ଭାରତୀୟ ବୋହୁ ହୋଇଯାଇଛନ୍ତି । ମାତ୍ର ଆଇନର ସ୍ବୀକୃତି ଏଯାଏଁ ମିଳିନି । ଅନ୍ୟପଟରେ ସୀମାଙ୍କ ସ୍ବାମୀ ଗୁଲାମ ହାଇଦର ତାଙ୍କ ସ୍ତ୍ରୀକୁ ଫେରାଇ ଦେବା ପାଇଁ ଭାରତ ସରକାରକୁ ଅନୁରୋଧ କରିଛନ୍ତି । ମାତ୍ର ସୀମା କହିଛନ୍ତି, ସେ ଆଉ ପାକିସ୍ତାନ ଫେରିବେନି । ପାକିସ୍ତାନ ଗଲେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ।

LEAVE A REPLY

Please enter your comment!
Please enter your name here