ଦଳ ବିରୋଧୀ କାର୍ଯ୍ୟ ପାଇଁ କଟକ-ବାରବାଟୀ ବିଧାୟକ ଓ ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ବାଳଙ୍କୁ କଂଗ୍ରେସ ସସପେଣ୍ଡ କରିଛି । ଏଆଇସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ନିଷ୍ପତ୍ତି ଅନୁଯାୟୀ ଦଳର ଦୁଇ ପ୍ରଭାବଶାଳୀ ନେତାଙ୍କୁ ନିଲମ୍ବନ କରାଯାଇଥିବା ବେଳେ ପିସିସି ସଭାପତି ଶରତ ପଟ୍ଟନାୟକ କେନ୍ଦ୍ରୀୟ କମିଟି ନିଷ୍ପତ୍ତିକୁ ଆମେ ଗ୍ରହଣ କରୁଛୁ ବୋଲି କହିଛନ୍ତି । ଦଳର ଦୁଇ ପ୍ରଭାବଶାଳୀ ନେତା ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବା ଏବଂ ବିଭିନ୍ନ ମଞ୍ଚରେ ଦଳ ବିରୋଧୀ ମନ୍ତବ୍ୟ ଦେଉଥିବା ସଂପର୍କରେ ପିସିସି ସଭାପତି ଶରତ ପଟ୍ଟନାୟକ ଅଭିଯୋଗ କରିଥିଲେ । ଦୁଇ ନେତାଙ୍କୁ ଶୃଙ୍ଖଳା କମିଟି ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ତେବେ ସେମାନଙ୍କ ଉତ୍ତର ସନ୍ତୋଷଜନକ ନ ଥିବା ଦର୍ଶାଇ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମୋକିମଙ୍କୁ ମିଶାଇ ରାଜ୍ୟ ବିଧାନସଭାରେ କଂଗ୍ରେସର ନ ଜଣ ବିଧାୟକ ରହିଥିବା ବେଳେ ଏବେ ଦଳରୁ ନିଲମ୍ବନ ପରେ ବିଧାୟକଙ୍କ ସଂଖ୍ୟା ଆଠକୁ ଖସିଛି ।

ସୂଚନାଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନ ସମୟରେ କଂଗ୍ରେସ ବିଧାୟକ ମହମମ୍ଦ ମୋକିମ ଦଳୀୟ ହୁଇପ୍ ଅମାନ୍ୟ କରି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ । ତେବେ କିଛି ମାସ ତଳେ ମୋକିମ ‘ଜାନକୀ-ବସନ୍ତ ଯୋଡି, ଓଡିଶାରେ ସୁବର୍ଣ୍ଣ ଯୁଗ’ଶୀର୍ଷକ ଆଲୋଚନାଚକ୍ର ଆୟୋଜନ କରିଥିଲେ । ଏଥିରେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ବି ସାମିଲ ହୋଇଥିଲେ । ଆଲୋଚନାଚକ୍ରରେ ମୋକିମ ସାଂପ୍ରତିକ ସ୍ଥିତିରେ କଂଗ୍ରେସ ସାଂଗଠନିକ ଅବସ୍ଥାକୁ କଟୁ ସମାଲୋଚନା କରିଥିଲେ । ଚିରଞ୍ଜିବୀ ମଧ୍ୟ ଅନେକ ସମୟରେ ଦଳୀୟ ନେତୃତ୍ବକୁ ସମାଲୋଚନା କରୁଥିଲେ । ଏବେ ଦୁଇ ପ୍ରଭାବୀ ନେତାଙ୍କୁ ଦଳରୁ ନିଲମ୍ବନ କରିବା କଂଗ୍ରେସ ରାଜନୀତିକୁ ସରଗରମ କରିଛି । କିନ୍ତୁ ରାଜ୍ୟରେ କଂଗ୍ରେସର ସ୍ଥିତି ଯାହା, ଏଭଳି ପଦକ୍ଷେପ ପରେ ଦଳ ସୁୁଦୃଢ ହେବ କି ଅସନ୍ତୋଷ ଦାନା ବାନ୍ଧିବ, ତାହା ଚର୍ଚ୍ଚାର ବିଷୟ ।

LEAVE A REPLY

Please enter your comment!
Please enter your name here