ଗାଜା ଉପରେ ଲଗାତର ବୋମାମାଡ ଜାରି ରଖିଥିଲେ ବି ଗାଜା ଦଖଲ ଇସ୍ରାଏଲ ପାଇଁ ଏତେ ସହଜ ନୁହେଁ । ପାଲେଷ୍ଟାଇନ ହମାସ ଗାଜା ସୀମାନ୍ତରେ ଯେଉଁ ଟନେଲ ନିର୍ମାଣ କରିଛନ୍ତି, ତାହା ଏବେ ସବୁଠୁ ବଡ ଚ୍ୟାଲେଞ୍ଜ । ଗାଜା ଓ ଇସ୍ରାଏଲ ସୀମାନ୍ତରେ ଏହି ଟନେଲ ରହିଛି ଏବଂ ଟନେଲର ଲମ୍ବ ହେଉଛି 500 କିଲୋମିଟର । ଯାହାକୁ ଭେଦ କରିବା ଇସ୍ରାଏଲ ସେନା ପାଇଂ ସହଜ ନୁହେଁ । ଟନେଲ ଭିତରୁ ରହି ଇସ୍ରାଏଲ ସେନା ଉପରେ ହମାସ ଆକ୍ରମଣ କରୁଛନ୍ତି । 2007ରେ ଗାଜାକୁ ନିଜ ଦଖଲକୁ ନେବା ପରେ ପାଲେଷ୍ଟାନୀୟ ହମାସ ଏହି ଟନେଲ ନିର୍ମାଣ କରିଥିବା ଜଣାପଡିଛି । ତେବେ ଗାଜା ଦଖଲ ପାଇଁ ଇସ୍ରାଏଲ ସେନା ପକ୍ଷରୁ 11 ଲକ୍ଷ ଗାଜାବାସୀଙ୍କୁ 24 ଘଣ୍ଟା ଭିତରେ ଉତ୍ତର ଦିଗକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି । କୋଣସି ସାଧାରଣ ଲୋକ ଯେପରି ଆକ୍ରମଣରେ ଆହତ ନ ହୁଅନ୍ତି, ସେଥିପାଇଁ ଏହି ପରାମର୍ଶ ଦିଆଯାଇଛି । ଇସ୍ରାଏଲର ଏହି ପରାମର୍ଶ ପରେ ଅନୁମାନ କରାଯାଉଛି, ହମାସ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଗାଜା ଉପରେ ଇସ୍ରାଏଲ ଭୟଙ୍କର ବୋମାମାଡ କରିବ । ମାତ୍ର ଦୀର୍ଘ ପାଞ୍ଚଶହ କିଲୋମିଟରର ଟନେଲ ଧ୍ବଂସ କରିବା ସହଜ ନୁହେଁ ବୋଲି ଯୁଦ୍ଧ ବିଶେଷଜ୍ଞମାନେ ଆକଳନ କରୁଛନ୍ତି ।
ସେପଟେ ଇସ୍ରାଏଲର ଗାଜା ଉପରେ ଜୋରଦାର ଆକ୍ରମଣକୁ ପ୍ରତିହତ କରିବା ପାଇଁ ଲେବାନନ, ଇରାନ, ସିରିୟା ଘେରିବା ଆରମ୍ଭ କରିଛନ୍ତି । ଯୁଦ୍ଧ ଅତି ଭୟଙ୍କର ରୂପ ନେବାକୁ ଯାଉଛି । ହମାସମାନେ ବନ୍ଧକ ରଖିଥିବା 250 ଇସ୍ରାଏଲ ନାଗରିକଙ୍କୁ ଇସ୍ରାଏଲ ସେନା ମୁକ୍ତ କରିଥିବା ସୂଚନା ମିଳିଛି ।