ନିର୍ବାଚନୀ ହିଂସାକୁ ନେଇ ଅଶାନ୍ତ ହୋଇଛି ଗଞ୍ଜାମ । ଗାଁରେ ପୋଷ୍ଟର ଲଗାଇବା ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି କର୍ମୀ । ହିଂସାକାଣ୍ଡରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ଆହତ ହୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ବୁଧବାର ଦିନ ସଂଧ୍ୟାରେ ଗାଁରେ ବିଜେପି ପୋଷ୍ଟର ଲଗାଉଥିଲେ ଗାଁର ଦିଲ୍ଲୀପ ବାହନ ଓ ତାଙ୍କ ଭାଇ ଜିତୁ ବାହନ । ଗାଁରେ ବିଜେପି ପୋଷ୍ଟର ଲାଗିପାରିବ ନାହିଁ ବୋଲି ଆସି ଧମକ ଦେଇଥିଲେ କିଛି ବିଜେଡି କର୍ମୀ । ମାତ୍ର ବିଜେଡି କର୍ମୀଙ୍କ ବିରୋଧ ସତ୍ତ୍ବେ ଦୁଇଭାଇ ପୋଷ୍ଟର ଲଗାଇବାରୁ ସେମାନଙ୍କ ଉପରେ ବିଜେଡି କର୍ମୀମାନେ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ । ଅଚାନକ ବିଜେଡି କର୍ମୀଙ୍କ ଆକ୍ରମଣ ଦେଖି ଦୁଇଭାଇ ଓ ସେମାନଙ୍କ ସହଯୋଗୀ ପଳାଇବାକୁ ଚେଷ୍ଟା କରିଥିଲେ ହେଁ ବିଜେଡି କର୍ମୀମାନେ ସେମାନଙ୍କୁ ଗୋଡାଇ ଗୋଡାଇ ମାରଣାସ୍ତ୍ରରେ ଆକ୍ରମଣ କରି ଚାଲିଥିଲେ । ଆକ୍ରମଣରେ ଗୁରୁତର ଆହତମାନଙ୍କୁ ଗାଁ ଲୋକେ ପ୍ରଥମେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ରାତିରେ ଦିଲ୍ଲୀପ ଓ ତାଙ୍କ ଭାଇ ଜିତୁ ବାହନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା । ରାତିରେ ଚିକିତ୍ସାଧୀନ ଅବସ୍ଥଆରେ ଦିଲ୍ଲୀପ ବାହନଙ୍କ ମୃତ୍ୟୁ ଘଟିଥିଲା । ଦିଲ୍ଲୀପଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ଦାବିରେ ଶତାଧିକ ଗାଁ ଲୋକେ ଓ ବିଜେପି ସମର୍ଥକ ଆଜି ସକାଳେ ଖଲ୍ଲିକୋଟ ଥାନା ଆଗରେ ଧାରଣା ଦେଇଥିଲେ । ଏହା ସତ୍ତ୍ବେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠଆନ ଗ୍ରହଣ ନ କରିବାରୁ ଉତ୍ତ୍ୟକ୍ତ ଲୋକେ ପ୍ରତିବାଦରେ ଆସିକା ଭୁବନେଶ୍ବର ରାସ୍ତା ଅବରୋଧ କରିଥିଲେ । ଉତ୍ତେଜନା ବଢୁଥିବାରୁ ପୋଲିସ ଆଠଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ କଡା ସୁରକ୍ଷା ଭିତରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଉଥିବା ବେଳେ ଉତ୍ତୟକ୍ତ ଲୋକେ ସେମାନଙ୍କ ଉପରକୁ ପାଣି ପାଉଚ, ବୋତଲ ଓ ଟେକା ପଥର ଫୋପାଡିଥିବା ଜଣାପଡିଛି । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଘଟଣାସ୍ଥଳରେ ଲାଠିଚାର୍ଜ କରିଥିଲା । ହିଂସାକାଣ୍ଡରେ ସାତଜମ ପୋଲିସ କର୍ମଚାରୀ ଓ ଅନେକ ବିକ୍ଷୋଭକାରୀ ଆହତ ହୋଇତିବା ସୂଚନା ମିଳିଛି । ଏହାପରେ ବି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାରୁ ଥାନା ଅଞ୍ଚଳରେ 144 ଧାରା ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here