ଓଡିଶାରେ ଭୋଟରଙ୍କ ମୁଡ୍ ବଦଳିଛି । ପୂର୍ବଭଳି ଏଥର ବିଜେଡିକୁ ନିର୍ବାଚନରେ ଜିତିବା ସହଜ ନୁହେଁ । ଅଧାରୁ ଅଧିକ ଆସନରେ ବିଜେଡିକୁ ନିକଟତମ ପ୍ରତିଦ୍ବନ୍ଦୀ ଭାବେ ବିଜେପିଠୁ କଡ୍ଡା ଟକ୍କରର ସମ୍ମୁଖୀନ ହେବାକୁ ପଡିବ ବୋଲି ଏକଜିଟ୍ ପୋଲ୍ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ବୁଥ୍ ବାହୁଡା ଭୋଟରଙ୍କ ମତ ଆଧାରରେ ଏଥର ବିଜେଡି ଅଧିକାଂଶ ବିଧାନସଭା ଆସନରେ ବିଜେପି ସହ କଡା ମୁକାବିଲା କରିବାକୁ ଯାଉଛି । ବିଜେଡିର ଭୋଟହାର ମଧ୍ୟ 2019 ତୁଳନାରେ ଯଥେଷ୍ଟ ହ୍ରାସ ପାଇବ ବୋଲି ରାଜନୀତି ବିଶାରଦମାନେ ମତ ପୋଷଣ କରୁଛନ୍ତି । ଗତ ନିର୍ବାଚନରେ ବିଜେଡି 44.71 ପ୍ରତିଶତ ଭୋଟ ପାଇଁ 112ଟି ଆସନରେ ବିଜୟ ଲାଭ କରିଥିବା ବେଳେ ବିଜେପି 32 ପ୍ରତିଶତ ଭୋଟ ପାଇଁ 23 ଟି ଆସନ ଦଖଲ କରିଥିଲା । ମାତ୍ର ଏଥର ଭୋଟରଙ୍କ ମୁଡ୍ ଦେଖିଲେ ଜଣାପଡୁଛି ବିଜେଡିର ଆସନ ସଂଖ୍ୟା ଗତ ନିର୍ବାଚନ ତୁଳନାରେ 25 ରୁ 35 ହ୍ରାସ ପାଇବ । ଅର୍ଥାତ ବିଜେଡିକୁ 80 ରୁ 85 ଆସନ ମିଳିବ । ଅନ୍ୟପକ୍ଷରେ ବିଜେପିର ଭୋଟ ହାର ବଢିବା ସହ ବିଧାନସଭାରେ ଆସନ ସଂଖ୍ୟା ଗତ ନିର୍ବାଚନ ତୁଳନାରେ ତିନିଗୁଣା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଅର୍ଥାତ ବିଧାନସଭାରେ ବିଜେପି 55 ରୁ 65 ଆସନ ପାଇପାରେ ବୋଲି ଆକଳନ କରାଯାଉଛି । କଂଗ୍ରେସ 6 ରୁ 8ଟି ଆସନ ପାଇବ । ଭୋଟରଙ୍କ ମୁଡ୍ ଅନୁଯାୟୀ ବିଜେଡି ଓ ବିଜେପି ମଧ୍ୟରେ ଭୋଟ ବ୍ୟବଧାନ ବହୁତ କମ୍ ରହିବ । ସରକାର ଗଢିବା ପାଇଁ ଯଦିଓ ବିଜେଡିକୁ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ମିଳିବାର ସମ୍ଭାବନା ରହିଛି, କିନ୍ତୁ ବିଜେପି ସପକ୍ଷରେ ଜନମତ ବୃଦ୍ଧି ଦଳୀୟ ନେତୃତ୍ବ ପାଇଁ ଏକ ବଡ ଆହ୍ବାନ ସୃଷ୍ଟି କରିବ । ଅନ୍ୟପକ୍ଷରେ ବିଜେଡିର ଦଳୀୟ ସର୍ଭେ ରିପୋର୍ଟରେ ବିଜେଡି ପୂର୍ବଭଳି 115 ବିଧାନସଭା ଆସନରେ ବିଜୟ ଲାଭ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି । ସେହିପରି ଲୋକସଭା ନିର୍ବାଚନରେ ଦଳ 21 ରୁ 17 ଆସନ ପାଇବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛି ।

LEAVE A REPLY

Please enter your comment!
Please enter your name here