ଭୁବନେଶ୍ବର : ବିଜେଡି ଗଢିଲା ନୂଆ କମିଟି । ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ 15 ଜଣ ସଦସ୍ୟ ରହିଛନ୍ତି । ଏହି କମିଟି ବିଜୁ ଜନତା ଦଳର ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ସଞ୍ଚାଳନ କ୍ଷେତ୍ରରେ ସମନ୍ବୟ ରକ୍ଷା କରିବ । ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଦଳ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ନିର୍ଦ୍ଦେଶନାମାରେ କୁହାଯାଇଛି, ଏହି ନିର୍ଦ୍ଦେଶ ତତ୍କାଳ କାର୍ଯ୍ୟକାରୀ କରାଯିବ । କମିଟିରେ ଦେବୀ ପ୍ରସାଦ ମିଶ୍ର ଅଧ୍ୟକ୍ଷ ରହିଥିବା ବେଳେ ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ପ୍ରତାପ କେଶରୀ ଦେବ, ପ୍ରଦୀପ କୁମାର ଅମାତ, ଅରୁଣ କୁମାର ସାହୁ, ଅଶ୍ବିନୀ କୁମାର ପାତ୍ର, ପ୍ରତାପ ଜେନା, ସାରଦା ପ୍ରସାଦ ନାୟକ, ସୁଦାମ ମାର୍ଣ୍ଡି, ମନୋହର ରନ୍ଧାରୀ, ସ୍ନେହାଙ୍ଗିନୀ ଛୁରିଆ, ମହେଶ ସାହୁ ଓ ଦେବେଶ ଆଚାର୍ଯ୍ୟ ସଦସ୍ୟ ରହିଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଦଳର ପ୍ରଭାବଶାଳୀ ନେତା ବୋଲାଉଥିବା ନେତାମାନଙ୍କୁ ସ୍ଥାନ ଦିଆଯାଇନାହିଁ । ବିଶେଷକରି ଗତ ନିର୍ବାଚନ ବେଳେ ଦଳର ସର୍ବେସର୍ବା ବୋଲାଉଥିବା ଭି.କେ ପାଣ୍ଡିୟାନଙ୍କ କୋଟେରୀ ଗୋଷ୍ଠୀ ପ୍ରଣବ ପ୍ରକାଶ ଦାସ ଓ ମାନସ ମଙ୍ଗରାଜଙ୍କ ଭଳି ନେତାଙ୍କୁ ଦୂରେଇ ରଖାଯାଇଛି । ନିର୍ବାଚନରେ ବିଜେଡିର ପରାଜୟକୁ ହଜମ କରିପାରୁ ନ ଥିବା ଦଳୀୟ କର୍ମୀ ଓ ନେତାମାନେ ପାଣ୍ଡିୟାନଙ୍କ ଗୋଷ୍ଠୀ ବିରୋଧରେ ବିଷୋଦଗାର କରିବା ପରେ ପ୍ରଚ୍ଛଦପଟ୍ଟରେ ରହି ଗୋଟି ଚଳାଉଥିବା ଭି.କେ ପାଣ୍ଡିୟାନ ଏବେ ଏହି ଚାଲ୍ ଖେଳିଛନ୍ତି । ତୃଣମୂଳସ୍ତରରେ ଦଳୀୟ ଅସନ୍ତୋଷକୁ ଥଣ୍ଡା କରିବା ପାଇଁ ପାଣ୍ଡିୟାନ ଏହି ନୂଆ ଫଣ୍ଡା ବାହାର କରିଛନ୍ତି । ଏହା ଅର୍ଥ ନୁହେଁ ଯେ, ଦଳୀୟ ସଙ୍ଗଠନ ଭିତରେ ବବି ଓ ମଙ୍ଗରାଜଙ୍କ ପତିଆରା କମିଯାଇଛି । ଏବେ ଦେଖିବା କଥା, ପାଣ୍ଡିୟାନଙ୍କ ନୂଆ ଫଣ୍ଡାକୁ ତୃଣମୂଳସ୍ତରରେ କର୍ମୀ ଓ ନେତା କେମିତି ଗ୍ରହଣ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here