ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଅରବିନ୍ଦ କେଜ୍ରିଓ୍ୱାଲ । ଆଜି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କେଜ୍ରିଓ୍ୱାଲ ଏହା ଘୋଷଣା କରିଛନ୍ତି । ଆସନ୍ତା ଦୁଇଦିନ ମଧ୍ୟରେ ସେ ଇସ୍ତଫା ଦେବେ ବୋଲି କହିଛନ୍ତି । ଦଳର ଆଉ ଜଣେ ନେତା ମୁଖ୍ୟମନ୍ତ୍ରୀ ପଦରେ ବସିବେ । ଗତ ଛ ମାସ ଧରି ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଜେଲରେ ଥିବା କେଜ୍ରିଓ୍ୱାଲଙ୍କୁ ସୁପ୍ରିମକୋର୍ଟରୁ ବେଲ୍ ମିଳିବା ପରେ ସେ ଦୁଇଦିନ ହେଲା ଜେଲରୁ ମୁକୁଳିଛନ୍ତି । ଜେଲରୁ ଆସିବା ପରେ କେଜ୍ରିଓ୍ୱାଲ କହିଛନ୍ତି, ଏବେ ସେ ନ୍ୟାୟ ପାଇଁ ଜନତାଙ୍କ ଅଦାଲତକୁ ଯିବେ । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଉ କିଛି ମାସ ବାକି ଥିବା ବେଳେ କେଜ୍ରିଓ୍ୱାଲଙ୍କ ଘୋଷଣା ରାଜନୀତିକ ନାଟକବାଜି ବୋଲି ବିରୋଧୀ କଟାକ୍ଷ କରିଛନ୍ତି । ଗତ ଛ ମାସ ଧରି ଜେଲରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଇ ନଥିଲେ । ବରଂ ଜେଲ୍ ଭିତରେ ରହି ସରକାର ଚଳାଇଥିଲେ । ସେତେବେଳେ ବିରୋଧୀ ତାଙ୍କ ଇସ୍ତଫା ଦାବି କରୁଥିଲେ । ଏବେ ଜେଲରୁ ମୁକୁଳିବା ପରେ ମୁଖ୍ୟମନ୍ତ୍ରୀ ପଦରୁ କେଜ୍ରିଓ୍ୱାଲଙ୍କ ଇସ୍ତଫା ଘୋଷଣା ସମସ୍ତଙ୍କୁ ଚକିତ କରିଛି । ତେବେ ସୁପ୍ରିମକୋର୍ଟ ବେଲ୍ ମଂଜୁରୀ ସହ ରଖିଥିବା ସର୍ତ୍ତାବଳୀ ଅନୁଯାୟୀ କେଜ୍ରିଓ୍ୱାଲ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ପ୍ରବେଶ ଉପରେ କଟକଣା ରଖିଛନ୍ତି କୋର୍ଟ । ସେହିପରି ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ବିନା ସମ୍ମତିରେ କୌଣସି ଫାଇଲରେ ଦସ୍ତଖତ କରିବା ଉପରେ ମଧ୍ୟ କଟକଣା ରହିଛି । ସେହିଦୃଷ୍ଟିରୁ କେଜ୍ରିଓ୍ୱାଲ ଇସ୍ତଫା ଦେଉଥାଇପାରନ୍ତି ବୋଲି କୁହାଯାଉଛି ।