ସମସ୍ତେ ଦଶହରା ମନାଉଛନ୍ତି I ସମସ୍ତେ ଖୁସିରେ ମସଗୁଲ I ହେଲେ ପୂଜା ମଣ୍ଡପ ଆଗରେ ମୁଣ୍ଡରେ ହାତ ଦେଇ ଚିନ୍ତାରେ ବସିଛନ୍ତି ବାପୁ I କାହାରି ନଜର ତାଙ୍କ ଉପରେ ପଡୁନି I ଯାହାର ପଡୁଛି ଟିକେ ଅନେଇଦେଇ ପଳାଉଛନ୍ତି I କେହି କେହି କିଛି ଟଙ୍କା ଦେଉଛନ୍ତି I ସତରେ କେତେ ଅସହାୟ ହେଇଯାଇଛନ୍ତି ବାପୁ I ଦିନେ ନିଜ ସ୍ୱାର୍ଥକୁ ବଳି ଦେଇ ଦେଶକୁ ସ୍ୱାଧୀନ କରିଥିଲେ I ଆଜି ସେଇ ଦେଶରେ ସେ ଅଲୋଡ଼ା I ଗରିବଙ୍କ ପାଇଁ କେତେ ଯୋଜନା କରୁଛନ୍ତି ସରକାର I ମାତ୍ର ଏତେ ଯୋଜନା ଥାଇ ବି କଣ ପାଇଁ ଦେହରେ ବାନିସ ବୋଳି ଭିକ ମାଗୁଛନ୍ତି ବାପୁ ?
ଆମ ଦେଶର ସରକାର ଗରିବଙ୍କ ପାଇଁ ଯେତିକି ଯୋଜନା କରିଛନ୍ତି, ଯଦି ଏସବୁ ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହେଉଥାନ୍ତା, ତେବେ ହୁଏତ କୌଣସି ଲୋକକୁ ଅତି କମରେ ଭିକ ମାଗିବାକୁ ପଡନ୍ତାନି । ମାତ୍ର ଅନେକ ସମୟରେ ରାସ୍ତାକଡରେ ଏଭଳି ଲୋକଙ୍କୁ ଦେଖିବାକୁ ମିଳେ । ଛିଣ୍ଡା ପୋଷାକ, ଅପରିଚ୍ଛନ୍ନ ପରିଧାନ ଓ ଅପରିଷ୍କାର ପରିବେଶ ଭିତରେ ଏମାନେ ଜୀବନ ବିତାନ୍ତି । କିଏ ଧୁ ଧୁ ଖରାରେ କଅଁଳ ଛୁଆକୁ ଧରି ଟ୍ରାଫିକ ଛକରେ ଭିକ ମାଗୁଥାଏ ତ ଆଉ କେହି ରେଳଷ୍ଟେସନରେ । ଭୋକିଲା ପେଟ ପାଇଁ ଆହାର ଗଣ୍ଡେ ଯୋଗାଡ କରିବାକୁ ରାତି ପାହିଲା ବେଳଠୁ ଆରମ୍ଭ ହୋଇଯାଏ କସରତ୍ । ମାତ୍ର ଏସବୁ ଦେଖି ବି କିଛି ଦେଖି ପାରନ୍ତିନି ଆମ ଦେଶର ସରକାର ।