ବାତ୍ୟା ‘ଦାନା’ ଆସନ୍ତା 24 ଓ 25 ତାରିଖ ସୁଦ୍ଧା ପୁରୀ ଓ ପଶ୍ଚିମ ବଙ୍ଗର ସାଗର ଦ୍ବୀପ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଧିକ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆଇଏମଡି ସ୍ପଷ୍ଟ କରିଛି । ଗତକାଲି ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣ ବଳୟ ଆଜି ଲଘୁଚାପରେ ପରିଣତ ହୋଇସାରିଛି । 22 ତାରିଖ ସୁଦ୍ଧା ଏହା ଅବପାତରେ ପରିଣତ ହେବ । 23 ତାରିଖ ବେଳକୁ ଦାନା ଭୀଷଣ ବାତ୍ୟା ବା ସିଭିୟର ସାଇକ୍ଲନିକ ଷ୍ଟର୍ମ ରେ ପରିଣତ ହେବ । ଏହାର ପ୍ରଭାବରେ ଆସନ୍ତା 23 ତାରିଖ ଠାରୁ ଓଡିଶା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ଓଡିଶାର ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବ । ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ 100 ରୁ 120 କିଲୋମିଟର ରହିବ ବୋଲି ଆକଳନ କରାଯାଇଛି । ଯେଉଁ ସ୍ଥାନରେ ବାତ୍ୟା ହିଟ୍ କରିବ, ସେହି ସ୍ଥାନରେ ବର୍ଷା ଓ ପବନର ବେଗ ଅଧିକ ରହିବ ଏବଂ କ୍ଷୟକ୍ଷତି ଅଧିକ ହେବ ।
ସମ୍ଭାବ୍ୟ ବାତ୍ୟା ନେଇ ଉପକୂଳବର୍ତ୍ତି ଜିଲ୍ଲାଗୁଡିକରେ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ପଦକ୍ଷେପ ନେବା ଆରମ୍ଭ ହୋଇଛି । 23 ତାରିଖରୁ 25 ପର୍ଯ୍ୟନ୍ତ 14ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି I ଏହିସବୁ ଜିଲ୍ଲାଗୁଡିକ ହେଉଛି ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା ଓ କଟକ I ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ, ରାଜସ୍ବମନ୍ତ୍ରୀ ଓ ଏସଆରସି ପରିସ୍ଥିତି ସମୀକ୍ଷା କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ଓଡ୍ରାଫ, ରାଜ୍ୟ ଅଗ୍ନିଶମ ବିଭାଗକୁ ସଜାଗ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here