ସୃଜନଶୀଳ ମଣିଷ ପାଇଁ ବୟସ ବାଧକ ନୁହେଁ । ପାରିପାର୍ଶ୍ବିକ ପରିବେଶ ଓ ପରିସ୍ଥିତି ପାଇଁ ଜଣେ ମଣିଷର ସୃଜନଶୀଳତା ଚାପି ହୋଇ କିଛି ଦିନ ଅବା କିଛି ବର୍ଷ ରହିଯାଇପାରେ । ମାତ୍ର ଟିକେ ସୁଯୋଗ ମିଳିଲେ ସୃଜନଶୀଳତା ନିଜ ମାଧୁର୍ଯ୍ୟରେ ସମସ୍ତଙ୍କୁ ଚକିତ କରିଦିଏ । ଏମିତି ତିନିଜଣ ସୃଜନଶୀଳ ପ୍ରତିଭା ହେଉଛନ୍ତି ତିନିଜଣ ଚିତ୍ରଶିଳ୍ପୀ । ସାଂସାରିକ ଜଞ୍ଜାଳ ଓ କାର୍ଯ୍ୟବ୍ୟସ୍ତତା ଭିତରେ ବି ନିଜ ମନ ଭିତରେ ଛପି ରହିଥିବା ପ୍ରତିଭାକୁ ବଞ୍ଚାଇ ରଖିବା ଏବଂ ସୁଯୋଗ ମିଳିବା ମାତ୍ରେ ହାତରେ ରଙ୍ଗ ତୂଳୀ ଧରି ନିଜ ସ୍ବପ୍ନକୁ ସାକାର ରୂପ ଦେବାରେ ସଫଳ ହୋଇଛନ୍ତି ଦୁଇଜଣ ନାରୀ । ଭୁବନେଶ୍ବର ଜୟଦେବ ଭବନ ପ୍ରଦର୍ଶନୀ କକ୍ଷରେ ଆୟୋଜିତ ହୋଇଛି ଚିତ୍ରକଳା ପ୍ରଦର୍ଶନୀ ‘ଆରମ୍ଭ” । ଆନ୍ତର୍ଜାତିୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏହି ଚିତ୍ରକଳା ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି । ଉଦଘାଟନୀ ସମାରୋହରେ ବିକେ ଆର୍ଟ କଲେଜର ଅଧ୍ୟକ୍ଷ ଶ୍ରୀ ସୁବ୍ରତ କୁମାର ମଲ୍ଲିକ ଓ ବିଶିଷ୍ଟ ଚିତ୍ରଶିଳ୍ପୀ ମାନସ ରଂଜନ ଜେନା ଯୋଗ ଦେଇଥିଲେ । ଯେଉଁ ତିନିଜଣ ପ୍ରତିଭାବାନ ଚିତ୍ରଶିଳ୍ପୀଙ୍କ ଚିତ୍ର ଏହି ପ୍ରଦର୍ଶନୀର ଶୋଭା ବର୍ଦ୍ଧନ କରୁଥିଲା, ସେମାନେ ହେଲେ ଶ୍ରୀମତୀ ସବିତା ଦାସ, ଶ୍ରୀମତୀ ସୌମ୍ୟାଲଗ୍ନା ସ୍ବାଇଁ ଓ ସୁଶ୍ରୀ ଦେବକୀ ଭୁକ୍ତା । ତିନିଜଣ ଚିତ୍ରଶିଳ୍ପୀଙ୍କ ମଧ୍ୟରେ ସବିତା ଦାସ ହେଉଛନ୍ତି ପ୍ରବୀଣ । ବୟସ 48 ବର୍ଷ । ପେସାରେ ସରକାରୀ ଚାକିରୀଆ । ମାତ୍ର ରଙ୍ଗ ଓ ତୂଳୀରେ ଚିତ୍ର ଆଙ୍କିବାର ନିଶା ପିଲାଦିନରୁ । 48 ବର୍ଷର ବ୍ୟସ୍ତବହୁଳ ଜୀବନ ଭିତରେ ତାଙ୍କର ପିଲାଦିନର ନିଶାକୁ ସେ ନିଜ ଭିତରେ ଖୁବ୍ ଯତ୍ନର ସହ ବଞ୍ଚେଇ ରଖିଥିଲେ । ଖୁବ୍ ନିଷ୍ଠା ଓ ଆଗ୍ରହର ସହ ପେନସିଲ ଓ ପେନରେ ସେ ନିଜ ସ୍ବପ୍ନକୁ ଜୀବନ୍ତ କରିବାରେ ସମର୍ଥ ହୋଇଛନ୍ତି । ଅତି ନିଖୁଣ ଭାବେ ସେ ତାଙ୍କ ଚିତ୍ରକଳାରେ ନାରୀର ପରକାଷ୍ଠା ପ୍ରଦର୍ଶନ କରିଛନ୍ତି । ଓଡିଆ ଘରର ଗ୍ରାମୀଣ ମହିଳାଙ୍କ ଜୀବନଚର୍ଯ୍ୟା ଠାରୁ ଆରମ୍ଭ କରି ଆଧୁନିକ ମହିଳାଙ୍କ ଜୀବନଚର୍ଯ୍ୟାକୁ କଲମ ଓ ପେନସିଲ ମୂନରେ ଜୀବନ୍ତ କରିଛନ୍ତି ସେ ।
ସବିତାଙ୍କ ଭଳି ଶ୍ରୀମତୀ ସୌମ୍ୟାଲଗ୍ନା ସ୍ବାଇଁ ବି ଚିତ୍ର ଆଙ୍କିବାକୁ ଭଲ ପାଆନ୍ତି । ତେବେ କୌଣସି ପେଷାଦାର ଚିତ୍ରଶିଳ୍ପୀ ହେବା ପାଇଁ ନୁହେଁ, ବରଂ ଆତ୍ମିକ ଶାନ୍ତି ପାଇଁ ସେ ଚିତ୍ର ଆଙ୍କନ୍ତି ବୋଲି କହିଛନ୍ତି । ଚିତ୍ରକଳାର ପରୀକ୍ଷାନୀରିକ୍ଷାରେ ସେ କାଗଜ ଓ ମାର୍କର କଲମ ବ୍ୟବହାର କରି ନିଜ ଚିନ୍ତା, ଚେତନାକୁ ଜୀବନ୍ତ କରିବାରେ ସମର୍ଥ ହୋଇଛନ୍ତି ।
ଏ ଦୁଇ ଚିତ୍ରଶିଳ୍ପୀଙ୍କ ସହ ନବାଗତା ସୁଶ୍ରୀ ଦେବକୀ ଭୁକ୍ତାଙ୍କ ଅନେକ ଚିତ୍ର ମଧ୍ୟ ଏହି ପ୍ରଦର୍ଶନୀରେ ସ୍ଥାନୀତ ହୋଇଛି । ବିକେ ଆର୍ଟ କଲେଜର ଚତୁର୍ଥ ବର୍ଷର ଛାତ୍ରୀ ଦେବକୀଙ୍କ ଚିତ୍ର କୌଣସି ପେଷାଦାର ଅଭିଜ୍ଞ ଚିତ୍ରଶିଳ୍ପୀଙ୍କ ଚିତ୍ରକଳା ଠାରୁ କିଛି କମ୍ ନୁହେଁ । ତାଙ୍କ ଚିତ୍ରକଳାରେ ପ୍ରଚୁର ସମ୍ଭାବନା ଭରପୁର ହୋଇ ରହିଛି । ତିନି ଚିତ୍ରଶିଳ୍ପୀଙ୍କ ନିଶା ସେମାନଙ୍କ ପାଇଁ ନୂଆ ପରିଚୟ ତିଆରି କରିଛି ।