ଶ୍ରୀନଗର : ଜମ୍ମୁକାଶ୍ମୀରର ପହଲଗାମରେ ଆଜି ଆତଙ୍କବାଦୀମାନେ ସେନା ପୋଷାକରେ ଆସି ନରସଂହାର ରଚାଇଛନ୍ତି । ଆତଙ୍କବାଦୀଙ୍କ ଗୁଳିମାଡରେ ଜଣେ ଓଡିଆ ଯୁବକଙ୍କ ସମେତ 26 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାକୁ ନେଇ ବିଦେଶଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଉଦବେଗ ପ୍ରକାଶ କରିଥିବା ବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଶ୍ରୀନଗର ଗସ୍ତ କରିଛନ୍ତି । ଶ୍ରୀନଗରରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଥିବା ବେଳେ ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।

ଆଜି ଅପରାହ୍ନରେ ପହଲଗାମର ଏକ ହୋଟେଲରେ ପର୍ଯ୍ୟଟକମାନେ ଖାଉଥିବା ବେଳେ ତିନି ଚାରିଜଣ ଆତଙ୍କବାଦୀ ହୋଟେଲ ମଧ୍ୟକୁ ପ୍ରବେଶ କରିଥିଲେ । ସେମାନେ ସମସ୍ତେ ସେନା ପୋଷାକରେ ଥିବା ବେଳେ ହାତରେ ବନ୍ଧୁକ ଧରିଥିଲେ । ପର୍ଯ୍ୟଟକମାନେ ଖୁସି ମନାଉଥିବା ବେଳେ ଆତଙ୍କବାଦୀମାନେ ଜଣଙ୍କ ପରେ ଜଣେ ପର୍ଯ୍ୟଟକଙ୍କୁ ସେମାନଙ୍କ ପରିଚୟ ପଚାରୁଥିଲେ । ପରେ ସେମାନଙ୍କୁ ଗୁଳି କରି ହତ୍ୟା କରିଥିଲେ । ଆତଙ୍କବାଦୀ ଏହି ବିଭତ୍ସ ନରସଂହାର ଘଟାଇବା ପରେ ଘଟଣାସ୍ଥଳରୁ ଖସି ପଳାଇବାକୁ ସକ୍ଷମ ହୋଇଥିଲେ । ଏହି ଘଟଣାକୁ ନେଇ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଛି । ମୃତ୍ୟୁବରଣ କରିଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓଡିଶାର ପ୍ରଶାନ୍ତ ଶତପଥୀ ଅଛନ୍ତି । ବାଲେଶ୍ବର ରେମୁଣାର ପ୍ରଶାନ୍ତ ପତ୍ନୀ ଓ ପୁତ୍ର ସହ ଶ୍ରୀନଗର ବୁଲିବାକୁ ଯାଇଥିଲେ । ମୃତକଙ୍କୁ ସେନା ବିମାନରେ ଉଦ୍ଧାର କରାଯାଇ ଶ୍ରୀନଗର ଅଣାଯାଇଛି । ତେବେ ନରସଂହାର ଘଟଣା ପାଇଁ ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଇବାର ସହଯୋଗୀ ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ନିଜକୁ ଦାୟୀ କରିଛି ।

ଜମ୍ମୁ କାଶ୍ମୀରର ପହଲଗାମ ପର୍ଯ୍ୟଟକଙ୍କ ପାଇଁ ଏଖ ପ୍ରମୁଖ ଆକର୍ଷଣ କେନ୍ଦ୍ର ହୋଇଥିବାରୁ ପ୍ରତିବର୍ଷ ବହୁ ପର୍ଯ୍ୟଟକ ଏହି ସ୍ଥାନକୁ ଆସିଥାନ୍ତି । ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରି ଆତଙ୍କବାଦୀ ସାଧାରଣରେ ଭୟ ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି ।

LEAVE A REPLY

Please enter your comment!
Please enter your name here