ପହଲଗାମ୍ ହତ୍ୟାକାଣ୍ଡ ପ୍ରତିଶୋଧର ନିଆଁ ‘ଅପରେସନ ସିନ୍ଦୁର’ । ଚଉଦ ଦିନ ପରେ ଭାରତୀୟ ସେନା ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଏୟାର ଷ୍ଟ୍ରାଇକ କରି ପହଲଗାମ ହତ୍ୟାକାଣ୍ଡର ପ୍ରତିଶୋଧ ନେଇଛି । ଭାରତର ଏୟାରଷ୍ଟ୍ରାଇକରେ ନଅଟି ସ୍ଥାନରେ ଆତଙ୍କବାଦୀଙ୍କ ଆଡ୍ଡା ଧ୍ବଂସ ହୋଇଛି । ବହୁ ଆତଙ୍କବାଦୀ ନିହତ ହୋଇଛନ୍ତି । ଭାରତର ଏୟାରଷ୍ଟ୍ରାଇକକୁ ନେଇ ପାକିସ୍ଥାନ ଭାରତକୁ କେମିତି ଜବାବ ଦେବ, ସେଥିପାଇଁ ଯୋଜନା କରୁଛି । ଆତଙ୍କବାଦୀଙ୍କ ପୁଲଓ୍ୱାମା ନରସଂହାର ପରେ ଭାରତ ସର୍ଜିକାଲ ଷ୍ଟ୍ରାଇକ୍ କରି ପାକ ଅଧିକୃତ କାଶ୍ମୀରରେ ଥିବା ଆତଙ୍କୀ ଆଡ୍ଡା ଧ୍ବଂସ କରିଥିଲା । ସେତେବେଳେ ଭାରତର ସର୍ଜିକାଲ ଷ୍ଟ୍ରାଇକକୁ ପାକିସ୍ତାନ ପ୍ରତ୍ୟାଖାନ କରିଦେଇଥିଲା । ମାତ୍ର ଏଥର ଏୟାର ଷ୍ଟ୍ରାଇକରେ ବହୁ ଆତଙ୍କବାଦୀ ଓ ସେମାନଙ୍କ ପରିବାର ନିପାତ ହେବା ଘଟଣାରେ ପାକିସ୍ତାନ ବ୍ୟତିବ୍ୟସ୍ତ । ଭାରତକୁ ଜବାବ ଦେବା ପାଇଁ ପାକ୍ ସେନା ପ୍ରସ୍ତୁତି ଚଳାଇଛି । ଯେକୌଣସି ସମୟରେ ପାକିସ୍ତାନ ଭାରତ ଉପରେ ମିସାଇଲ ଆକ୍ରମଣ କରିବ । ଏଥିପାଇଁ ଭାରତୀୟ ସେନା ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । ଯୁଦ୍ଧ ମୁକାବିଲା ପାଇଁ କେନ୍ଦ୍ର ସରକାର ଦେଶବ୍ୟାପୀ ପ୍ରସ୍ତୁତି କରିଛନ୍ତି । ଦୁଇ ଦେଶ ମଧ୍ୟରେ ଭୟଙ୍କର ଯୁଦ୍ଧର ସୂତ୍ରପାତ ହୋଇସାରିଥିବା ବେଳେ ଯୁଦ୍ଧର ପରିଣାମ ଯେ ଭୟଙ୍କର ହେବ, ତାହା କଳ୍ପନା କରାଯାଇପାରେ ।
ସ୍ବାଧୀନତା ପରେ ଭାରତ ଓ ପାକିସ୍ଥାନ ମଧ୍ୟରେ ଦୁଇଟି ଯୁଦ୍ଧ ସଂଘଠିତ ହୋଇସାରିଛି । 1999ରେ କାରଗିଲ ଯୁଦ୍ଧ ମଧ୍ୟ ହୋଇଛି । ମାତ୍ର ଏସବୁ ଯୁଦ୍ଧ ତୁଳନାରେ ଏଥର ଯେଉଁ ଯୁଦ୍ଧର ବିଗୁଲ୍ ବାଜିଛି, ତାର ପରିଣାମ ଆହୁରି ଭୟଙ୍କର ହେବ ବୋଲି ଅନୁମାନ କରାଯାଇପାରେ । ଦୁଇ ଦେଶ ଯୁଦ୍ଧ ପାଇଁ ବଳ ଗୋଟାଇବା ଆରମ୍ଭ କରିଛନ୍ତି । ଯଦି ଯୁଦ୍ଧ କେବଳ ଭାରତ ଓ ପାକିସ୍ଥାନ ମଧ୍ୟରେ ହେଉଥାନ୍ତା, ତେବେ ତାର ପରିଣାମ ଅପେକ୍ଷାକୃତ କମ୍ ଭୟଙ୍କର ହୋଇଥାନ୍ତା । କିନ୍ତୁ ଯୁଦ୍ଧକୁ ନେଇ ଅନ୍ୟ ଦେଶଗୁଡିକ ଆଗ୍ରହ ଦେଖାଇବା ଆରମ୍ଭ କରିଛନ୍ତି । ଆତଙ୍କବାଦୀକୁ ସିଧାସଳଖ ପ୍ରୋତ୍ସାହନ ତଥା ପୃଷ୍ଠପୋଷକତା କରିଆସୁଥିବା ନେଇ ପାକିସ୍ତାନ ସରକାରଙ୍କ ଖୋଲାଖୋଲି ଘୋଷଣା ପରେ ବି ଚୀନ୍ ଭଳି କିଛି ରାଷ୍ଟ୍ର ପାକିସ୍ଥାନକୁ ସମର୍ଥନ କରିବା ଯୁଦ୍ଧର ସମ୍ଭାବ୍ୟ ଭୟାବହତାକୁ ସୂଚାଉଛି । ପାକିସ୍ଥାନ ଭାଇ, ତେଣୁ ତା ଉପରେ ଆକ୍ରମଣକୁ ବରଦାସ୍ତ କରିବନି ବୋଲି ଚୀନ କହିଛି । ସେହିପରି ଭାରତର ସାହାଯ୍ୟ ସହଯୋଗରେ ବାଂଲାଦେଶ ସ୍ବାଧୀନ ହେବା ଏବଂ ପରବର୍ତ୍ତୀ ସମୟରେ ବାଂଲାଦେଶର ବିକାଶରେ ଭାରତ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ହେଁ ଧର୍ମ ଆଧାରରେ ବାଂଲାଦେଶ ଏବେ ପାକିସ୍ଥାନକୁ ସମର୍ଥନ କରିବାକୁ ଖୋଲାଖୋଲି ଘୋଷଣା କରିଛି । ପାକିସ୍ଥାନକୁ ବାଂଲାଦେଶର ସମର୍ଥନରେ ଭାରତ ଆଦୌ ବିଚଳିତ ନୁହେଁ, ମାତ୍ର ବାଂଲାଦେଶର ବୋଇମାନୀ ଚରିତ୍ରକୁ ନେଇ ଭାରତ ବ୍ୟଥିତ ।
ଭାରତ ନିଜର ସାମରିକ ସାମର୍ଥ୍ୟ ଉପରେ ପୂର୍ଣ୍ଣ ଭରସା ରଖିଛି । ଆତଙ୍କବାଦର ପୃଷ୍ଠପୋଷକ ପାକିସ୍ଥାନ ଏବଂ ତାର ସମର୍ଥକ ରାଷ୍ଟ୍ରମାନଙ୍କୁ ଉଚିତ ଜବାବ ଦେବାକୁ ଭାରତ ସ୍ଥିର କରିସାରିଛି । ଦେଶର ସାର୍ବଭୌମତ୍ବ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ରାଜନୈତିକ ଦଳ ନେତୃତ୍ବ ସହ ଆଲୋଚନା କରି ନିଷ୍ପତ୍ତି ନେବା ଏବଂ ସମସ୍ତେ ଏକ ହୋଇ ଶତ୍ରୁ ରାଷ୍ଟ୍ରମାନଙ୍କୁ ମୁକାବିଲା କରିବା ପାଇଁ ପଦକ୍ଷେପ ନେବାକୁ ଦେଶବାସୀ ସ୍ବାଗତ କରିଛନ୍ତି ।
ଭାରତ ପାକିସ୍ଥାନ ମଧ୍ୟରେ ଯୁଦ୍ଧ ଏବଂ ତାର ଭୟାବହତାକୁ ନେଇ ସମଗ୍ର ବିଶ୍ବ ଚିନ୍ତା ପ୍ରକଟ କରିଛି । ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକୁ ଜାତିସଂଘ ନିନ୍ଦା କରିଛି । ମାତ୍ର ଏସବୁ ସତ୍ତ୍ବେ ବିଶ୍ବ ଆଉ ଏକ ଯୁଦ୍ଧକୁ ସାମନା କରିବାକୁ ଯାଉଛି । ବର୍ଷାଧିକ ସମୟ ଧରି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଓ ତାର ଭୟଙ୍କର ପରିଣାମକୁ ଆମେ ସମସ୍ତେ ଦେଖି ଆସୁଛେ । ସାଧାରଣ ନାଗରିକ ମୃତାହତ ହେଉଛନ୍ତି, ଭିଟାମାଟି ଛାଡୁଛନ୍ତି, ଜୀବିକା ହରାଉଛନ୍ତି । ଏବେ ଭାରତୀୟଙ୍କୁ ସେମିତି ଯୁଦ୍ଧର ବିଭୀଷିକା ସାମନା କରିବା ପାଇଁ ମାନସିକ ଭାବେ ପ୍ରସ୍ତୁତ ହେବାକୁ ପଡିବ ।