ଦୀର୍ଘ ସାତବର୍ଷ ପରେ ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ପ୍ରକାଶ ପାଇଛି । ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଆଜୀବନ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ଏଥିସହିତ ୫୦ ହଜାର ଟଙ୍କାର ଜୋରିମାନା ମଧ୍ୟ ହୋଇଛି ପୁଞ୍ଜିଲାଲକୁ ।
୨୦୧୮ ଫେବ୍ରୁଆରି ୨୩ ତାରିଖରେ ପାର୍ସଲ ବୋମା ବିସ୍ଫୋରଣରେ ନବ ବିବାହିତ ସୌମ୍ୟ ଶେଖର ସାହୁ ଓ ତାଙ୍କ ଜେଜେମାଙ୍କ ମୃତ୍ୟୁ ଘଟିଥିଲା । ପୁଲିସର ତଦନ୍ତ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା । ହେଲେ ଟେର ପାଉ ନ ଥୂଲା କ୍ରାଇମବ୍ରାଞ୍ଚ । କିନ୍ତୁ ଚିଠି ଲେଖି ଫସି ଯାଇଥୂଲା ପୁଞ୍ଜିଲାଲ ମେହେର । କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ ମେହେରକୁ ଉଠାଇ ନେଇଥିଲା । ସେ ସମୟରେ ପାର୍ସଲ ବୋମା ତିଆରିର ଡେମୋ ପୁଞ୍ଜିଲାଲ ମେହେର ଆଇଜି ଅରୁଣ ବୋଥ୍ରୋଙ୍କୁ ଦେଖାଇଥିଲା । ସେ ସମୟରେ ପୁଞ୍ଜିଲାଲ ମେହେର ପାର୍ସଲ ବୋମା ତିଆରିର ଡେମୋ ଦେଖାଇଥିବା ଓ ସ୍ବୀକାର କରିଥିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା । ମାମଲାର ତଦନ୍ତ ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ୨ ହଜାର ପ୍ରୁଷ୍ଠାର ଏକ ଚାର୍ଜସିଟ ଦାଖଲ କରାଯାଇଥିଲା । ଚାର୍ଜସିଟ ଦାଖଲ ପରେ ଆରମ୍ଭ ହୋଇଥିଲା ସାକ୍ଷ୍ୟ ପ୍ରମାଣ ଗ୍ରହଣ । ୬୨ ଜଣଙ୍କଠୁ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରିବା ପରେ ଆଜି ଏହାର ଶୁଣାଣି ତାରିଖ ଧାର୍ଯ୍ୟ ହୋଇଥିଲା ।
କଲେଜ ଅଧ୍ୟକ୍ଷ ପଦ ପାଇଁ ପୁଞ୍ଜିଲାଲର ସୌମ୍ୟଙ୍କ ମା ସଂଯୁକ୍ତାଙ୍କ ସହ ବିବାଦ ହୋଇଥିଲା । ସଂଯୁକ୍ତାଙ୍କ ଉପରେ ରାଗ ରଖି ତାଙ୍କ ପରିବାରକୁ ଧ୍ବସଂ କରିବାକୁ ସେ ଷଡ଼ଯନ୍ତ୍ର ରଚିଥିଲା । ୟୁଟ୍ୟୁବରୁ ବୋମା ତିଆରି କରିବାର କୌଶଲ ଶିଖିବା ପରେ ତିଆରି କରିଥିଲା ପାର୍ସଲ ବୋମା । ସୌମ୍ୟ-ରିମାଙ୍କ ବାହାଘର ରିସେପସନ ଦିନ କୋରିଅରରେ ଆସିଥିଲା ପାର୍ସଲ ବୋମା । ଗିଫ୍ଟ ପ୍ୟାକ ପାର୍ସଲରେ କଣ ଉପହାର ଅଛି, ଦେଖିବା ପାଇଁ ଖୋଲିବା ମାତ୍ରେ ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ସୌମ୍ୟ ଓ ତାଙ୍କ ଜେଜେ ମା’ଙ୍କ ମୃତ୍ୟୁ ଘଟିବା ସହ ସୌମ୍ୟଙ୍କ ପତ୍ନୀ ରିମା ଗୁରୁତର ଆହତ ହୋଇଥିଲେ ।