ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଲେ, ଭାରତର ପ୍ରଧାନମନ୍ତ୍ରୀ ମୋଦି ମୋର ଜଣେ ଭଲ ବନ୍ଧୁ । ମାତ୍ର କଥା ଓ କାମରେ ଆକାଶ ପାତାଳ ଫରକ । ନିଜକୁ ବିଶ୍ବର ସବୁଠୁ ଚତୁର ବ୍ୟକ୍ତି ଭାବୁଥିବା ଟ୍ରମ୍ପ ଆଦୌ ଭରସାଯୋଗ୍ୟ ବ୍ୟକ୍ତି ନୁହଁନ୍ତି । ତାଙ୍କୁ ଭରସା କରିବା ଅର୍ଥ, ନିଜ ଗୋଡରେ କୁରାଢୀ ମାରିବା । ଟ୍ରମ୍ପ କୌଣସି ରାଷ୍ଟ୍ର ସହ ସଂପର୍କ ବିନା ସ୍ବାର୍ଥରେ ରଖନ୍ତିନି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବୁଥିଲେ, ବିପଦ ଆପଦରେ ଟ୍ରମ୍ପ ତାଙ୍କୁ ସାହାଯ୍ୟ କରିବେ । କିନ୍ତୁ ମୋଦିଙ୍କ ଅପେକ୍ଷା ଟ୍ରମ୍ପଙ୍କ ବେଶୀ ପସନ୍ଦ ପାକିସ୍ତାନ । ମୋଦିଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହାଁନ୍ତିନି, କିନ୍ତୁ ପାକିସ୍ତାନକୁ ବେଶୀ ଭଲ ପାଆନ୍ତି । କାରଣ ଟ୍ରମ୍ପଙ୍କୁ ଦରକାର ଦୁର୍ବଳ ରାଷ୍ଟ୍ର ଓ ଦୁର୍ବଳ ନେତୃତ୍ବ । ଯିଏ ତାଙ୍କ କଥାରେ ବସ୍ ଉଠ୍ ହୋଇପାରିବ ।

ପାକିସ୍ତାନର ଫିଲ୍ଡ ମାର୍ଶାଲ ଆସିମ ମୁନିରଙ୍କୁ ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସରେ ଭବ୍ୟ ଭୋଜିରେ ଆପ୍ୟାୟିତ କରିଛନ୍ତି । ଯଦିଓ ଆମେରିକା ସେନାର 250 ତମ ବାର୍ଷିକୀ ଉତ୍ସବରେ ଯୋଗଦେବାକୁ ମୁନିର ଯାଇଥିଲେ ବୋଲି କୁହାଯାଉଥିଲା, ମାତ୍ର ପାଞ୍ଚଦିନିଆ ଗସ୍ତ ପଛରେ ଅଲଗା କିଛି ଉଦ୍ଦେଶ୍ୟ ରହିଥିବା ଜଣାପଡୁଛି । ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ଆମେରିକା ସିଧାସଳଖ ନ ହେଲେ ବି ପରୋକ୍ଷରେ ପାକିସ୍ତାନକୁ ସାହାଯ୍ୟ କରିଛି । ଯୁଦ୍ଧବିରତି ପାଇଁ ଭାରତକୁ ରାଜି କରାଇ ପାକିସ୍ତାନକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରୁ ଅନୁଦାନ ମଂଜୁର କରାଇଛି । ଏବେ ଇରାନ ଉପରେ କବଜା କରିବା ପାଇଁ ପାକିସ୍ତାନକୁ ବ୍ୟବହାର କରିବାକୁ ଚାହୁଁଛି । ମୁନିରଙ୍କୁ ଭବ୍ୟ ଭୋଜିରେ ଆପ୍ୟାୟିତ କରିବା ପଛରେ ଆମେରିକା ପାକିସ୍ତାନ ସହାୟତାରେ ଇରାନ ବିରୋଧରେ ଗୁପ୍ତ ରଣନୀତି ପ୍ରସ୍ତୁତ କରିଛି । ଇରାନ ସହିତ ୯୦୯ କିଲୋମିଟର ସୀମା ରଖିଥିବା ପାକିସ୍ତାନକୁ ଏକ “ଫ୍ରଣ୍ଟଲାଇନ୍ ଷ୍ଟେଟ୍” ବନାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଟ୍ରମ୍ପ । ଏଥିପାଇଁ ଆମେରିକା ପାକିସ୍ତାନକୁ ସାମରିକ ସହାୟତା, ଅନୁଦାନ ଯୋଗାଇଦେବ । ପ୍ରତିବଦଳରେ ପାକିସ୍ତାନ ଆମେରିକାକୁ ଇରାନ ଉପରେ ଆକ୍ରମଣ ପାଇଁ ସହାଯୋଗ କରିବ । ପାକିସ୍ତାନ ଇରାନ ସୀମାନ୍ତରୁ ଆମେରିକା ତାର ସେନା, ଯୁଦ୍ଧାସ୍ତ୍ର ଇରାନ ବିରୋଧରେ ପ୍ରୟୋଗ କରିବ । ଆମେରିକାର ଏହି ଗୁପ୍ତ ରଣନୀତିରେ ମୁନିର ରାଜି ହୋଇଥିବା ଜଣାପଡିଛି । ଭାରତ ସହ ଯୁଦ୍ଧରେ ପାକିସ୍ତାନ ନିଜର ସାମରିକ ଦୁର୍ବଳତା ବିଷୟରେ ଅବଗତ ହୋଇପାରିଛି । ତେଣୁ ଇରାନ ବିରୋଧରେ ଆମେରିକାକୁ ସହଯୋଗ କରି ଆର୍ଥିକ ଓ ସାମରିକ ଦୃଷ୍ଟିରୁ ଶକ୍ତିଶାଳୀ ହେବା ପାଇଁ ପାକିସ୍ତାନ ଏହି ସୁଯୋଗକୁ ହାତଛଡା କରିବ ନାହିଁ ।

LEAVE A REPLY

Please enter your comment!
Please enter your name here