ଭୁବନେଶ୍ବର : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସର୍ଭିକାଲ ଆଥ୍ରାଇଟିସ୍ ଅସ୍ତ୍ରୋପଚାର ନିମନ୍ତେ ମୁମ୍ବାଇ ଗସ୍ତରେ ଯାଇଛନ୍ତି । ୨୨ତାରିଖରେ ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ସର୍ଭିକାଲ ଆଥ୍ରାଇଟିସ୍ ସମସ୍ୟାର ଚିକିତ୍ସା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତର ପାଞ୍ଚଘଣ୍ଟା ପୂର୍ବରୁ ନବୀନ ମୁମ୍ବାଇ ଗସ୍ତରେ ଯାଇଛନ୍ତି । ନବୀନଙ୍କ ସହ ଭି.କେ. ପାଣ୍ଡିୟାନ୍ ଓ ଦୁଇଜଣ ସୁରକ୍ଷା କର୍ମୀ ମଧ୍ୟ ଯାଇଛନ୍ତି । ଭୁବନେଶ୍ବର ବିମାନବନ୍ଦରରେ ଶହ ଶହ ଦଳୀୟ କର୍ମୀ ଓ ନେତା ତାଙ୍କୁ ବିଦାୟ ଦେବା ସହ ଭାବବିହ୍ବଳ ହୋଇପଡିଥିଲେ । ଦଳୀୟ ସୁପ୍ରିମୋଙ୍କୁ ବନ୍ଦାପନା କରି ବିଦାୟ ଜଣାଇବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଚିକିତ୍ସା ପାଇଁ ମୁମ୍ବାଇ ଯିବା ପୂର୍ବରୁ ନବୀନ ତାଙ୍କ ଅନୁପସ୍ଥିତିରେ ଦଳର ଦାୟିତ୍ବ ଦେବୀ ମିଶ୍ରଙ୍କୁ ଦେଇଛନ୍ତି ।
ପୂର୍ବରୁ ନବୀନଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ଅନେକ ଖବର ପ୍ରଚାର ହେଉଥିଲା । ଦଳୀୟ ନେତାମାନେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା କହୁଥିଲେ । ଏପରିକି ବିରୋଧୀ ମଧ୍ୟ ଗତ ନିର୍ବାଚନ ସମୟରେ ନବୀନଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ଅଙ୍ଗୁଳି ଦେଖାଇଥିଲେ ।













