ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ପୁରୀ ଆଉ ପୌରାଞ୍ଚଳ ମାନ୍ୟତାରେ ରହିବ ନାହିଁ । ଏଣିକି ମହାନଗର ନିଗମ ହେବ ଜଗନ୍ନାଥ ଧାମ ପୁରୀ । ପବିତ୍ର ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ଏହି ବଡ଼ ଘୋଷଣା କରିଛନ୍ତି । ତା’ ସହିତ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ, ଗ୍ରନ୍ଥାଗାର ଏବଂ ଗବେଷଣା କେନ୍ଦ୍ର ହେବ ପ୍ରତିଷ୍ଠା । ଶ୍ରୀ ଜଗନ୍ନାଥ ସଂସ୍କୃତି, କିମ୍ବଦନ୍ତୀ ଓ ଇତିହାସର ହେବ ପ୍ରଚାର ପ୍ରସାର । ଓଡ଼ିଆ ଅସ୍ମିତାକୁ ଦିଆଯିବ ଗୁରୁତ୍ୱ । ନାଗରିକମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ସାଙ୍ଗକୁ, ବହୁବିଧ ସେବା, ପର୍ଯ୍ୟଟକଙ୍କ ଚର୍ଚ୍ଚା ଦ୍ୱାରା ଏକ ବିରାଟ ସକାରାତ୍ମକ ପରିବର୍ତ୍ତନ ନେଇ ଲକ୍ଷ୍ୟ ରଖିଛନ୍ତି ସରକାର । ଏନେଇ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିବା ବେଳେ ତାଙ୍କ ସହ ରହିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର । ୨୦୩୬ ସୁଦ୍ଧା ପୁରୀ ହେବ ସୁନ୍ଦର, ସବୁଜ ଓ ବିକଶିତ ପୁରୀ । ସମୃଦ୍ଧ ପୁରୀ ବିନା ବିକଶିତ ଓଡ଼ିଶ ସମ୍ଭବ ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ପୁରୀକୁ ଦେଶର ସର୍ବଶ୍ରେଷ୍ଠ ଧର୍ମୀୟ ଓ ପର୍ଯ୍ୟଟନସ୍ଥଳ ଭାବେ ଗଢି ତୋଳିବାକୁ ସରକାର ଚେଷ୍ଟା ଚଳାଇଛନ୍ତି। ଏଥିପାଇଁ ଅନେକ ନୂତନ ପ୍ରକଳ୍ପର ନିର୍ମାଣ ଏବଂ ରକ୍ଷଣାବେକ୍ଷଣର ଅବଶ୍ୟକତା ରହିଛି । ୨୦୩୬ ସୁଦ୍ଧା ପୁରୀକୁ ଦେଶର ଏକ ମୁଖ୍ୟ ଧର୍ମୀୟ ଓ ପର୍ଯ୍ୟଟନ ସ୍ଥଳରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏକ ସୁନ୍ଦର, ସବୁଜ, ବିକଶିତ ପୁରୀ ସହର ବିନା ସମୃଦ୍ଧ ଓଡିଶାର ପରିକଳ୍ପନା ଅସମ୍ଭବ । ଆଜିର ଏହି ଘୋଷଣା ସରକାରଙ୍କ ଏହି ଭିଜନର ଏକ ଅଂଶ ବିଶେଷ ।













