ଭୁବନେଶ୍ବର – କୁନି କୁନି ପ୍ରତିଭାଙ୍କ ସୁମଧୁର କଣ୍ଠରେ ଶ୍ରୀଜଗନ୍ନାଥ ଭଜନରେ ଝଙ୍କୃତ ହେଉଥିଲା ଗୀତ ଗୋବିନ୍ଦ ଭବନ । କିଏ ଗାଉଥିଲା, ‘ଦେଖ ଲୋ ସଙ୍ଗାତ’, ତ ଆଉ କିଏ ଗାଉଥିଲା ‘ଆସ ଆସ ଜଗନ୍ନାଥ’ । କାହା କଣ୍ଠରୁ ଭାସି ଆସୁଥିଲା ‘ନିଃସ୍ବ କର ହେ ବିଶ୍ବବିହାରୀ’ । ଏମିତି ଅନେକ ସୁମଧୁର ଶ୍ରୀଜଗନ୍ନାଥ ଭଜନରେ ଜଗନ୍ନାଥମୟ ହୋଇଯାଇଥିଲା ଗୀତଗୋବିନ୍ଦ ଭବନ । ଅବସର ଥିଲା ଜଗନ୍ନାଥ ହୋ .. ଗ୍ରାଣ୍ଡ ଫିନାଲେ । ଜଗନ୍ନାଥ ହୋ . ତକ୍ଷକ ମିଡିଆ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଚବିଶ ଜଣ ପ୍ରତିଯୋଗୀ ଶ୍ରୀଜଗନ୍ନାଥ ଭଜନ ଗାଇଥିଲେ । ସଙ୍ଗୀତ ବିଶାରଦ ପ୍ରଦୀପ ଦାସ ଓ ଅନୁସୂୟା ନାଥ ବିଚାରକ ଭାବେ ଯୋଗଦେଇ ପ୍ରତିଯୋଗୀଙ୍କ ସଙ୍ଗୀତର ମୂଲ୍ୟାୟନ କରିଥିଲେ । ସବଜୁନିଅର ବର୍ଗରେ ସାୟୁଶ କୁମାର ସାହୁ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ସାଇ ଆଶ୍ରିତା ଦାଶ ଦ୍ବିତୀୟ ଏବଂ ଅଂଶୁମାନ ରଥ ତୃତୀୟ ସ୍ଥାନ ହାସଲ କରିଥିଲେ । ସେହିପରି ଜୁନିଅର ବର୍ଗରେ ଆହାନା ସ୍ବାଇଁ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଦ୍ବିତୀୟ ସ୍ଥାନ ହାସଲ କରିଥିଲେ ଶ୍ରେୟା ଶ୍ରାବଣୀ ଦାସ । ତୃତୀୟ ସ୍ଥାନ ହାସଲ କରିଥିଲେ ସ୍ବଂୟ ପ୍ରକାଶ ଦଳେଇ । ସିନିଅର ବର୍ଗରେ ବର୍ଷା ରାଣୀ ପ୍ରଧାନ ପ୍ରଥମ ହୋଇଥିବା ବେଳେ ରାକେଶ କୁମାର ମଣ୍ଡଳ ଦ୍ବିତୀୟ ଏବଂ ବାଦଲ ନାଥ ଶର୍ମା ତୃତୀୟ ସ୍ଥାନ ହାସଲ କରିଥିଲେ । ସୁସାହିତ୍ୟିକ ଡକ୍ଟର ଅଜୟ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ । ବିଶିଷ୍ଟ ସଙ୍ଗୀତ ଗୁରୁ ଶ୍ରୀ ନିମାକାନ୍ତ ରାଉତରାୟଙ୍କୁ ଚଳିତବର୍ଷର ରଶ୍ମୀ ସ୍ମାରକୀ ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ସୁଜାତା ମହାନ୍ତିଙ୍କ ଭକ୍ତିରସାତ୍ମକ ପୁସ୍ତକ ‘ଭାବର ଲହଡି’ ଅତିଥିମାନେ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ସୌମ୍ୟାଲଗ୍ନା ସ୍ବାଇଁ ।

LEAVE A REPLY

Please enter your comment!
Please enter your name here