ଏଫ୍ଏମ୍ କଲେଜ୍ ଛାତ୍ରୀ ମୃତ୍ୟୁକାଣ୍ଡ ନେଇ କ୍ରାଇମ୍ବ୍ରାଞ୍ଚ ତଦନ୍ତ ତୀବ୍ର କରିଛି। ଏକ ସ୍ୱତନ୍ତ୍ର ଦଳ ଭୋଗରାଇ ଅଞ୍ଚଳର ପଳାସିଆ ଗାଁରେ ପହଞ୍ଚି ମୃତ ଛାତ୍ରୀଙ୍କ ପରିବାର ସହ ବିସ୍ତୃତ ପଚରାଉଚରା କରିଛି। ଦୁଇଜଣୀଆ ଟିମ୍ ପିଡ଼ିତାଙ୍କ ବାପା, ମା’ ଓ ଭାଇଙ୍କୁ ଅନେକ ମହତ୍ୱପୂର୍ଣ୍ଣ ପ୍ରଶ୍ନରେ ଜେରା କରିଛନ୍ତି।
ଏହା ପୂର୍ବରୁ, ଗତକାଲି କ୍ରାଇମ୍ବ୍ରାଞ୍ଚର ତିନିଜଣ ସଦସ୍ୟ ଫକୀରମୋହନ କଲେଜ୍ କ୍ୟାମ୍ପସରେ ସୂଚନା ସଂଗ୍ରହ କରିଥିଲେ। କଲେଜ୍ ପ୍ରବେଶପଥରୁ ନିକଟସ୍ଥ ପେଟ୍ରୋଲ ପମ୍ପ୍ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳକୁ ସ୍କାନ୍ କରାଗଲା। କଲେଜ୍ କର୍ମଚାରୀମାନଙ୍କ ସହ ଆଇସିସି ସଦସ୍ୟମାନଙ୍କୁ ପ୍ରାୟ ପାଞ୍ଚ ଘଣ୍ଟା ଧରି ଜେରା କରାଯାଇଛି। ତଦନ୍ତରୁ ପେଟ୍ରୋଲ ପମ୍ପ୍ର ସିସିଟିଭି ହାର୍ଡ୍ଡିସ୍କ୍ ମଧ୍ୟ ଜବତ କରିଛି କ୍ରାଇମ୍ବ୍ରାଞ୍ଚ ଦଳ।
ସେହିପରି, କଟକ ଏସ୍ସିବି ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଜ୍ୟୋତିପ୍ରକାଶଙ୍କୁ ମଧ୍ୟ ତଦନ୍ତକାରୀମାନେ ପଚରାଉଚରା କରିଥିବା ସୂଚନା ମିଳିଛି।
ଅନ୍ୟପଟେ, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଙ୍ଗ କମିଟି ମଧ୍ୟ ଏଫ୍ଏମ୍ କଲେଜ୍ ପହଞ୍ଚି ସୂଚନା ସଂଗ୍ରହ ଆରମ୍ଭ କରିଛି। ଚାରିଜଣୀଆ ଦଳ କ୍ୟାମ୍ପସର ବିଭିନ୍ନ ସ୍ଥାନ ସହିତ ଛାତ୍ରୀ ଆତ୍ମହୁତି ଦେଇଥିବା ସ୍ଥଳୀକୁ ସ୍ବୟଙ୍ଗ ଯାଞ୍ଚ କରିଛନ୍ତି। ଫ୍ୟାକ୍ଟ ଫାଇଣ୍ଡିଙ୍ଗ କମିଟି ୭ ଦିନ ମଧ୍ୟରେ ତାଙ୍କର ବିସ୍ତୃତ ରିପୋର୍ଟ ଦେବାକୁ ଥିବା ଜଣାପଡ଼ିଛି।












