ଗୁଣାତ୍ମକ ଉଚ୍ଚଶିକ୍ଷା ଓ ଉତ୍ତମ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଦେଶରେ ଅଗ୍ରଣୀ ଭୂମିକା ନେଇଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମଡ ଟୁ ବି ବିଶ୍ବବିଦ୍ୟାଳୟ 19 ବର୍ଷରେ ପଦାର୍ପଣ କରିଛି । ଉତ୍କୃଷ୍ଟ ବୃତ୍ତିଗତ ଉଚ୍ଚଶିକ୍ଷା ଓ ଉନ୍ନତ ମାନର ସ୍ବାସ୍ଥ୍ୟସେବା ପ୍ରଦାନର ଉତ୍କର୍ଷ କେନ୍ଦ୍ର ଭାବେ ନିଜକୁ ଗଢି ତୋଳିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ରହିଛି ଦୀର୍ଘ 3 ଦଶନ୍ଧିର ସମୃଦ୍ଧ ପରଂପରା । 1996 ମସିହାରେ ଏକ ନମ୍ର ପ୍ରୟାସରୁ ଆରମ୍ଭ ହୋଇଥିବା ଏହି ଶିକ୍ଷାନୁଷ୍ଠାନ ଆଜି ଏକ ଉତ୍କୃଷ୍ଟ ବିଶ୍ବବିଦ୍ୟାଳୟ ଭାବେ ନିଜକୁ ପ୍ରତିଷ୍ଠା କରିପାରିଛି । ଗୁଣାତ୍ମକ ଶିକ୍ଷା ଓ ଅଭିନବ ଗବେଷଣା ଉପରେ ଅଧିକ ଗୁରୁତ୍ବ ଦେଇ ସୋଆ ସମାଜର ହିତ ନିମନ୍ତେ ଅବିରତ କାର୍ଯ୍ୟ କରି ଚାଲିଛି ।
ସୋଆ 2007 ମସିହା ଜୁଲାଇ 17 ତାରିଖରେ ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ଡିମଡ ଟୁ ବି ୟୁନିଭର୍ସିଟିର ମାନ୍ୟତା ପାଇଥିଲା । 1996 ମସିହାର ଏକ ଇଂଜିନିୟରିଂ କଲେଜର ସ୍ଥାପନାରୁ ସୋଆର ଯାତ୍ରା ଆରମ୍ଭ ହୋଇଥିଲା । ଆଜି ଏହି କଲେଜ ଇନଷ୍ଟିଚ୍ୟୁଟ ଅଫ ଟେକ୍ନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ନାମରେ ବିଖ୍ୟାତ । ସୋଆରେ ପ୍ରାୟ 18 ହଜାରରୁ ଉର୍ଦ୍ଦ୍ବ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଥିବା ବେଳେ ସେମାନଙ୍କ ମଧ୍ୟରେ 30ଟି ଦେଶରୁ ପ୍ରାୟ 400 ବିଦେଶୀ ଛାତ୍ରଛାତ୍ରୀ ଅନ୍ତର୍ଭୁକ୍ତ । ଯେଉଁମାନେ ନିଜର ଭବିଷ୍ୟତ ଗଢିବା ପାଇଁ ସୋଆକୁ ଚୟନ କରିଛନ୍ତି । ସେହିପରି ସୋଆର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ 52 ପ୍ରତିଶତରୁ ଅଧିକ ହେଉଛନ୍ତି ଛାତ୍ରୀ ଏବଂ କର୍ମଚାରୀଙ୍କ ମଧ୍ୟରେ 42 ପ୍ରତିଶତରୁ ଅଧିକ ମହିଳା କାର୍ଯ୍ୟରତ ।
ସୋଆର ପ୍ରତିଷ୍ଠା ସଭାପତି ପ୍ରଫେସର ଡକ୍ଟର ମନୋରଂଜନ ନାୟକ କେବଳ ଏହି ଶିକ୍ଷାନୁଷ୍ଠାନର ବିନ୍ଧାଣୀ ନୁହଁନ୍ତି, ବରଂ ଶିକ୍ଷା କ୍ଷେତ୍ରରେ ଏଭଳି ଜଣେ ନେତୃସ୍ଥାନୀୟ ବ୍ୟକ୍ତିତ୍ବ ଯିଏ କି ରାଜ୍ୟରେ ଏକ ବିଶ୍ବସ୍ତରୀୟ ଶିକ୍ଷାକେନ୍ଦ୍ର ଗଢି ତୋଳିବାର ସ୍ବପ୍ନ ଦେଖିଥିଲେ । ଛୋଟ ପଦକ୍ଷେପରୁ ଏକ ବିଶାଳ ଅନୁଷ୍ଠାନ ଗଢିବାରେ ପ୍ରଫେସର ନାୟକଙ୍କର ଯାତ୍ରା କେବଳ ପ୍ରେରଣାଦାୟୀ ନୁହେଁ, ବରଂ ଆମ ସମାଜ ପାଇଁଏକ ବିଶାଳ ଉଦାହରଣ ସୃଷ୍ଟି କରିଛି ।
ଉତ୍କୃଷ୍ଟ ମାନର ଉଚ୍ଚଶିକ୍ଷା ପ୍ରଦାନ ନିମନ୍ତେ ସୋଆ ପକ୍ଷରୁ ବାରଟି ବୃତ୍ତିଗତ ଶିକ୍ଷାନୁଷ୍ଠାନ ସ୍ଥାପିତ ହୋିଛି । ଏହି ଅନୁଷ୍ଠାନ ଗୁଡିକ ହେଲା –
1. ଇନଷ୍ଟିଚ୍ୟୁଟ ଅଫ ଟେକ୍ନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ ( ଆଇଟିଇଆର) (1996-97 ଶିକ୍ଷା ବର୍ଷରେ ଆରମ୍ଭ ହୋଇଥିଲା ।)
2. ଇନଷ୍ଟିଚ୍ୟୁଟ ଅଫ ବିଜିନେସ ଆଣ୍ଡ କଂପ୍ୟୁଟର ଷ୍ଟିଡିଜ (ଆଇବିସିଏସ) ( 1997-98 ଶିକ୍ଷା ବର୍ଷରେ ଆମ୍ଭ ହୋଇଥିଲା )
3. ସମ୍ ନର୍ସିଂ କଲେଜ (ଏସଏନସି) (2004-05 ଶିକ୍ଷା ବର୍ଷରୁ ଆରମ୍ଭ ହୋଇଥିଲା )
4. ସ୍କୁଲ ଅଫ ହୋଟେଲ ମ୍ୟାନେଜମେଣ୍ଟ (2004-05 ଶିକ୍ଷା ବର୍ଷରୁ ଆରମ୍ଭ ହୋଇଥିଲା )
5. ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ ସାଇନ୍ସେସ
6. ଇନଷ୍ଟିଚ୍ୟୁଟ ଅଫ ଡେଣ୍ଟାଲ ସାଇନ୍ସେସ
7. ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲ ( (2007-08 ଶିକ୍ଷା ବର୍ଷରୁ ଆରମ୍ଭ ହୋଇଥିଲା )
8. ସୋଆ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଲ
9. ଇନଷ୍ଟିଚ୍ୟୁଟ ଅଫ ଏଗ୍ରିକଲଚରାଲ ସାଇନ୍ସେସ
10. ଇନଷ୍ଟିଚ୍ୟୁଟ ଅଫ ଭେଟେରିନାରୀ ସାଇନ୍ସେସ ଆଣ୍ଡ ଆନିମଲ ହଜବ୍ୟାଣ୍ଡେରୀ
11. ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସପିଟାଲ – 2 ଫୁଲନଖରା କ୍ୟାମ୍ପସ
12. ସମ୍ ନର୍ସିଂ କଲେଜ – 2 ଫୁଲନଖରା କ୍ୟାମ୍ପସ
କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପରିଚାଳିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ରାଙ୍କିଙ୍ଗ ଫ୍ରେମଓ୍ବାର୍କ ରାଙ୍କିରେ ସୋଆ କ୍ରମାଗତ ଭାବେ ଦେଶର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ତାଲିକାରେ ନିଜକୁ ସ୍ଥାନୀତ କରିପାରିଛି । 2016 ମସିହାରୁ ଦୀର୍ଘ 9 ବର୍ଷ ଧରି ଦେଶର ଶ୍ରେଷ୍ଠ 25ଟି ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ନିଜ ସ୍ଥାନ ବଜାୟ ରଖିଛି ସୋଆ । 2024 ମସିହାରେ ଏନଆଇଆରଏଫ ରାଙ୍କିରେ ଦେଶର 14 ତମ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ଭାବେ ସୋଆ ମାନ୍ୟତା ପାଇଛି ।
(କୁଳପତି, ଶିକ୍ଷା ଓ ଅନୁସନ୍ଧାନ ଡିମଡ ଟୁ ବି ବିଶ୍ବବିଦ୍ୟାଳୟ )














