କାରଗିଲ୍ ବିଜୟ ଦିବସ’କୁ ପୂରିଛି ୨୬ ବର୍ଷ । ୧୯୯୯ ମସିହା ଆଜିର ଦିନରେ ପାକିସ୍ତାନ ଉପରେ ବିଜୟ ଲାଭ କରିଥିଲେ ଆମ ଭାରତୀୟ ବୀର ଯବାନମାନେ । ୧୯୯୯ ମସିହାରେ ଯୋଜନାବଦ୍ଧ ଭାବେ ପାକିସ୍ତାନ ତା’ର ପାଖାପାଖି ୫୦୦୦ ସୈନିକଙ୍କୁ କାରଗିଲ ଦଖଲ ପାଇଁ ପଠାଇଥିଲା। ଏହାପରେ ଭାରତ ‘ଅପରେଶନ ବିଜୟ’ ଆରମ୍ଭ କରି ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା। ଏହି ଯୁଦ୍ଧ ମେ’ ମାସରୁ ଆରମ୍ଭ ହୋଇ ଜୁଲାଇ ୨୬ ଯାଏଁ ଚାଲିଥିଲା। ଯୁଦ୍ଧରେ ୫୨୭ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ ୧୩୬୩ ଯବାନ ଆହତ ହୋଇଥିଲେ ଏବଂ ପାକିସ୍ତାନର ୩ ହଜାର ଯବାନଙ୍କର ମୃତ୍ୟୁ ହୋଇଥିଲା। ଶେଷରେ ପାକିସ୍ତାନ ସେନାକୁ କାରଗିଲ୍‌ରୁ ହଟାଇ ବିଜୟ ବାନା ଉଡ଼ାଇଥିଲା ଭାରତୀୟ ସେନା । ଏହି ଦିବସ ଅବସରରେ କାରଗିଲ୍‌ ଯୁଦ୍ଧରେ ଶହୀଦ ଭାରତୀୟ ବୀର ଯବାନଙ୍କୁ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଏ। ଅନ୍ୟପଟେ ସଶସ୍ତ୍ର ବାହିନୀର ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଏ।
ସେନା ପ୍ରମୁଖ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶନିବାର ୨୬ତମ କାରଗିଲ ବିଜୟ ଦିବସ ଅବସରରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଦ୍ରାସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତୀୟ ସେନାର ଭବିଷ୍ୟତର ରୋଡମ୍ୟାପ ଦେଖାଇଛନ୍ତି । ଭବିଷ୍ୟତରେ ରୁଦ୍ର ବ୍ରିଗେଡ ଶତ୍ରୁ ପାଇଁ କାଳ ପାଲଟିବ ବୋଲି ସେନା ମୁଖ୍ୟ କହିଛନ୍ତି । ଆଗାମୀ ଦିନରେ ଭାରତୀୟ ସେନା ଆହୁରି ମଜବୁତ ହେବ । ଅପରେସନ ସିନ୍ଦୂର ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି, ଏହି ଅଭିଯାନରେ ଭାରତ ଆତଙ୍କବାଦୀଙ୍କୁ ଉଚିତ୍ ଶିକ୍ଷା ଦେଇଛନ୍ତି । ଭବିଷ୍ୟତରେ ଭାରତ ଉପରେ କୁଦୃଷ୍ଟି ପକାଉଥିବା ଲୋକଙ୍କୁ ଏହିପରି ଶାସ୍ତି ଦିଆଯିବ । ଜେନେରାଲ ଦ୍ୱିବେଦୀ କହିଛନ୍ତି, ସେନାରେ ରୁଦ୍ର ବ୍ରିଗେଡର ସ୍ଥାପନା କରାଯାଉଛି । ଏଥିପାଇଁ ମୁଁ ଗତକାଲି ମଞ୍ଜୁରୀ ଦେଇଛି । ଏହାରି ଆଧାରରେ ଆମ ପାଖରେ ଗୋଟିଏ ସ୍ଥାନରେ ପାଦ ଚଲା ସୈନିକ, ମେସିନ ସହ ପାଦଚଲା ସୈନିକ. ଯୁଦ୍ଧାସ୍ତ୍ର, ତୋପଖାନା, ସ୍ୱତନ୍ତ୍ର ଦଳ ଓ ବାୟୁସେନା ରହିବ ବିମାନ ରହିବ ଯିଏ ଯୁଦ୍ଧାସ୍ତ୍ର, ସାମଗ୍ରୀ ସହ ଯୁଦ୍ଧ ସଂପର୍କିତ ସହାୟତା ପ୍ରଦାନ କରିବ ।

ଜେନେରାଲ ଦ୍ୱିବେଦୀ କହିଛନ୍ତି, ସେନା ରେ ଏକ ସ୍ୱତନ୍ତ୍ର ବଳ ଭୈରବ ଲାଇଟ କମାଣ୍ଡୋ ୟୁନିଟର ଗଠନ କରାଯାଇଛି । ଏହି ୟୁନିଟ୍ ସୀମାରେ ଶତ୍ରୁକୁ ଚକମା ଦେବା ପାଇଁ ସର୍ବଦା ପ୍ରସ୍ତୁତ ରହିବେ । ଏହା ସହିତ ଶକ୍ତିବାଣ ରେଜିମେଣ୍ଟର ଗଠନ କରାଯାଇଛି । ଏହା ଡ୍ରୋନ, ଡ୍ରୋନ ନିରୋଧୀ ଉପକରଣ ଓ ଆତ୍ମଘାତୀ ଡ୍ରୋନରେ ସଜ୍ଜିତ ରହିବ । ଏହିପରି ଆମେ ବିକଶିତ ଭାରତ ୨୦୪୭ ଭିଜନକୁ ପୂରା କରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ । ସେନା ବି ବିକାଶ କାର୍ଯ୍ୟରେ ନିଜର ଯୋଗଦାନ ଦେଉଛନ୍ତି । ଏହାରି ଆଧାରରେ ସୀାମାବର୍ତ୍ତୀ ଅଞ୍ଚଳ, ଲଦାଖରେ ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି ।

LEAVE A REPLY

Please enter your comment!
Please enter your name here