ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ମଧ୍ୟରେ ଅଦ୍ଭୁତ ସଂପର୍କ । କଂଗ୍ରେସର ପ୍ରବୀଣ ନେତାରୁ ରାଷ୍ଟ୍ରପତି ପଦ ମଣ୍ଡନ କରି ସାରିଥିବା ପ୍ରଣବ ମୁଖାର୍ଜୀଙ୍କୁ ଯେତେବେଳେ ଦେଖନ୍ତି, ପାଦ ଛୁଇଁ ପ୍ରଣାମ କରନ୍ତି ପ୍ରଧାନମନ୍ତ୍ରୀ ପ୍ରଣବ ମୁଖାର୍ଜୀ । ଜଣେ ପୁରୁଖା ତଥା ରାଷ୍ଟ୍ରନେତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ସମ୍ମାନ ପ୍ରଦର୍ଶନ କରିନହାଁନ୍ତି, ବରଂ ଏହା ତାଙ୍କ ନମ୍ରତା ଓ ସାଧୁତାର ପରିଚୟ ବୋଲି କହିଛନ୍ତି ଶର୍ମିଷ୍ଠା ମୁଖାର୍ଜୀ । ନିକଟରେ ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀଙ୍କ ଦ୍ବାରା ଲିଖିତ ପୁସ୍ତକ ‘ପ୍ରଣବ ମାଇଁ ଫାଦର’ ପ୍ରକାଶିତ ହୋଇଛି । ଏହି ପୁସ୍ତକରେ ଶର୍ମିଷ୍ଠା ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂପର୍କରେ ଏହି ରୋଚକ କଥା କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏବଂ ବରିଷ୍ଠା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂପର୍କରେ ତାଙ୍କ ବାପାଙ୍କ ବିଚାର ଓ ଭାବନା ସଂପର୍କରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ବାବାଙ୍କୁ ଯେତେବେଳେ ଦେଖନ୍ତି, ପାଦ ଛୁଇଁ ପ୍ରଣାମ ଜଣାଇବାକୁ କେବେ ଭୁଲନ୍ତି ନାହିଁ ସେ ଉଲ୍ଲେଖ କରିଛନ୍ତି । ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ଥିବା ବେଳେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ ନରେନ୍ଦ୍ର ମୋଦୀ । ଦୁଇ ନେତା ଯଦିଓ ଦୁଇ ଭିନ୍ନ ବିଚାରଧାରାରୁ ଆସିଛନ୍ତି, ତଥାପି ରାଷ୍ଟ୍ରପତି ଭାବେ ସରକାରରେ କୌଣସି ହସ୍ତକ୍ଷେପ କରିବେ ନାହିଁ ସେତେବେଳେ ପ୍ରଣବ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ । କେବଳ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ବେଳର କଥା ନୁହେଁ, ଏପରିକି ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ମଧ୍ୟ ଅନେକ ସମୟରେ ଜଣେ ସାଧାରଣ କର୍ମୀଭାବେ ଦିଲ୍ଲୀ ଆସନ୍ତି ଏବଂ ବାବା ମଣିଂ ଓ୍ବାକ୍ କରିବା ବେଳେ ତାଙ୍କୁ ଭେଟନ୍ତି ଏବଂ ପାଦ ଛୁଇଁ ପ୍ରଣାମ କରନ୍ତି । ଗୁଜରାଟର ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ସେ ତାଙ୍କ ବାବାଙ୍କୁ ସାକ୍ଷାତ କରିବାକୁ ଆସିଥିବା ବେଳେ ପାଦ ଛୁଇଁ ପ୍ରଣାମ କରିଥିଲେ, ଯେତେବେଳେ କି ସେ କଂଗ୍ରେସର ଜଣେ ବଡ ସମାଲୋଚକ ଥିଲେ । ଏ ତଥ୍ୟ ସେ ତାଙ୍କ ବାବାଙ୍କ ଡାଏରୀରୁ ପାଇଥିଲେ ବୋଲି କହିଛନ୍ତି ଶର୍ମିଷ୍ଠା ।
କେବଳ ମୋଦୀ ନୁହଁନ୍ତି, କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ସଂପର୍କରେ ମଧ୍ୟ କିଛି ରୋଚକ କଥାର ଖୁଲାସା କରିଛନ୍ତି ଶର୍ମିଷ୍ଠା ମୁଖାର୍ଜୀ ।
ରାଷ୍ଟ୍ରପତି ଥିବା ବେଳେ ଥରେ ପ୍ରଣବ ମୁଖାର୍ଜୀଙ୍କୁ ଦେଖା କରିବାକୁ ଆସିଥିଲେ ରାହୁଲ ଗାନ୍ଧୀ । ରାହୁଲ ଆସିବା ବେଳେ ପ୍ରଣବ ମଣିଂ ଓ୍ବାକ୍ କରୁଥିଲେ । ତେବେ ପରେ ଜଣାପଡିଥିଲା, ସେଦିନ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ରାହୁଲଙ୍କ ସମୟ ସଂଧ୍ୟାରେ ଥିବା ବେଳେ ରାହୁଲ ସକାଳେ ଚାଲି ଆସିଥିଲେ । ରାହୁଲ ଗାନ୍ଧୀଙ୍କ ଅଫିସ ଭୁଲରେ ରାହୁଲଙ୍କୁ ପିଏମ ବଦଳରେ ଏଏମ କହିଥିବା ଜଣାପଡିଥିଲା । ପ୍ରଣବ ହସିକି କହିଥିଲେ, ରାହୁଲ ଗାନ୍ଧୀଙ୍କ ଅଫିସ ଯଦି ପିଏମ ଓ ଏଏମ୍ ମଧ୍ୟରେ ଫରକ ଜାଣିପାରୁନାହିଁ, ପୁଣି ପିଏମଓ ଅଫିସ କେମିତି ସମ୍ଭାଳିବେ । ଅନେକ ସମୟରେ ରାହୁଲ କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ ଓ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହୁଥିଲେ ଏବଂ ଅଚାନକ ଉଭାନ ହୋଇଯାଉଥିଲେ । ରାହୁଲଙ୍କ ଏପରି ଆଚରଣକୁ ନେଇ ତାଙ୍କ ବାବା ପ୍ରଣବ ମୁଖାର୍ଜୀ ଖୁସି ନ ଥିଲେ ବୋଲି ସେ ତାଙ୍କ ଡାଏରୀରେ ଉଲ୍ଲେଖ କରିଥିବା କଥା କହିଛନ୍ତି ଶର୍ମିଷ୍ଠା । ଶର୍ମିଷ୍ଠା କହିଛନ୍ତି, ଅର୍ଦ୍ଧ ଶତାବ୍ଦୀରୁ ଅଧିକ ବର୍ଷରେ ଦେଶର ରାଜନୀତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରି ଆସିଥିବା ତାଙ୍କ ବାବାଙ୍କ ଡାଏରୀରୁ ସେ କିଛି କିଛି କଥା ସେ ତାଙ୍କ ପୁସ୍ତକ ପ୍ରଣବ ମାଇ ଫାଦରରେ ଉଲ୍ଲେଖ କରିଛନ୍ତି । ହୁଏତ ଏହା ରାଜନୀତିରେ ବିବାଦ ସୃଷ୍ଟି କରିପାରେ । ମାତ୍ର ସେ ତାଙ୍କ ବାବାଙ୍କ ଅନୁଭବ ଓ ଅଭିବ୍ୟକ୍ତିକୁ ଏଥିରେ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here