ଆମ୍ୱୁଲାନ୍ସରେ ଗଣଦୁଷ୍କର୍ମ ଅଭିଯୋଗ । ବିହାରର ଗୟାରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି । ଜୁଲାଇ ୨୪ରେ ହୋମଗାର୍ଡ ପରୀକ୍ଷା ବେଳେ ଅଚେତ୍ ହୋଇଥିଲେ ମହିଳା । ଡାକ୍ତରଖାନା ନେବା ବାଟରେ ଦୁଷ୍କର୍ମ କଲେ ଦୁର୍ବୃତ୍ତ । ଗୟା ଜିଲ୍ଲାରେ ଘଟିଥିବା ଏହି ଅଭାବନୀୟ ଘଟଣା ନେଇ ଚର୍ଚ୍ଚା ହେଉଛି । ହୋମଗାର୍ଡ ନିଯୁକ୍ତି ପାଇଁ ଆବେଦନ କରିଥିବା ଜଣେ ୨୬ ବର୍ଷୀୟ ମହିଳା, ଫିଜିକାଲ ଟେଷ୍ଟ ସମୟରେ ଅଚେତ ହୋଇପଡ଼ିଥିଲେ । ଏହା ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଉଥିବା ବେଳେ ଚଳନ୍ତା ଆମ୍ବୁଲାନ୍ସରେ ସେ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ପୀଡିତଙ୍କ ଅଭିଯୋଗ ପରେ, ଆମ୍ବୁଲାନ୍ସ ଚାଳକ ବିନୟ କୁମାର ଓ ଟେକନିସିଆନ୍ ଅଜିତ୍ କୁମାରଙ୍କୁ ଗିରଫ କରିଛି ପୁଲିସ । ଦୁହେଁ ବର୍ତ୍ତମାନ ପୋଲିସ ହେପାଜତରେ ଅଛନ୍ତି ଏବଂ ତାଙ୍କୁ ଜେରା କରାଯାଉଛି । ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ଆମ୍ବୁଲାନ୍ସର ମାର୍ଗ ଏବଂ ସମୟସୀମା ସମ୍ପର୍କରେ ସୂଚନା ଦେଇଛି । ମହିଳାଙ୍କ ବୟାନ ଆଧାରରେ ବୋଧଗୟା ଥାନାରେ ଏକ ଏଫଆଇଆର ରୁଜୁ କରାଯାଇଛି । ଘଟଣାର ତଦନ୍ତ ପାଇଁ ଏକ ସ୍ପେଶାଲ ଇନଭେଷ୍ଟିଗେସନ ଟିମ ଏବଂ ଫରେନସିକ ଟିମ ଗଠନ କରାଯାଇଛି ।













