ବିଜେଡି କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଜେନା ସେକ୍ସ ସ୍କାଣ୍ଡାଲରେ ଗିରଫ ହେବା ଘଟଣାକୁ ନେଇ ରାଜନୀତି ଉଠୁଛି ପଡୁଛି । ତା ପୂର୍ବରୁ ଛାତ୍ର କଂଗ୍ରେସ ନେତା ଉଦିତ ପ୍ରଧାନ ବଳାତ୍କାର ଅଭିଯୋଗରେ ଗିରଫ ହୋଇଥିଲେ । ଦୁଇ ବିରୋଧୀ ଦଳର ଯୁବ ନେତାମାନେ ଗିରଫ ହେବା ପୂର୍ବରୁ ରାଜ୍ୟ ରାଜନୀତି କଡ କଡ ହୋଇ ଫୁଠୁଥିଲା । ପ୍ରଥମ ଘଟଣା ଥିଲା, ବିଏମସି ଅଫିସରେ ଅତିରିକ୍ତ କମିଶନରଙ୍କୁ ବିଜେପି ନେତା ଜଗା ପ୍ରଧାନଙ୍କ ସମର୍ଥକମାନେ ଘୋଷାଡି ଘୋଷାଡି ମାଡ ମାରିବା । ଏହି ଘଟଣାରେ ସରକାର ଯେତେ ସ୍ମାର୍ଟ ଓ୍ବାର୍କ କଲେ ବି ବିରୋଧୀ ଛାଡି ନ ଥିଲେ । ଶେଷରେ ଜଗା ପ୍ରଧାନଙ୍କୁ ଗିରଫ କରିଥିଲା ପୋଲିସ । ଦ୍ବିତୀୟ ଘଟଣାଟି ଥିଲା ବାଲେଶ୍ବର ଏଫଏମ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ପ୍ରସଙ୍ଗ । ବିରୋଧୀ ଏମିତି ହଙ୍ଗାମା କଲେ ଯେ ରାଜ୍ୟ ବିଜେପି ସରକାର ପ୍ରମାଦ ଗଣିଲେ । ଗୋଟିକ ପରେ ଗୋଟିଏ ଘଟଣା ମୋହନ ମାଝୀ ସରକାରକୁ ନିନ୍ଦିତ କରିବା ପାଇଁ ଏବଂ ବିରୋଧୀ ଦଳକୁ ହଙ୍ଗାମା କରିବା ପାଇଁ ଯଥେଷ୍ଟ ଥିଲା । ଏଭଳି ସ୍ଥିତିରେ କଂଗ୍ରେସ ନେତା ଉଦିତ ପ୍ରଧାନ ଓ ବିଜେଡି ନେତା ବାଇଁଆ ଜେନା ସ୍କାଣ୍ଡାଲ ସରକାରଙ୍କ ପାଇଁ ଏକ ମଉକା ଥିଲା । ବିରୋଧୀଙ୍କୁ ଚୁପ୍ କରିବା ପାଇଁ ବିରୋଧୀ ଦଳର ଦୁଇ ଯୁବ ନେତାଙ୍କ ସେକ୍ସ ସ୍କାଣ୍ଡାଲ ଘଟଣା ଏବେ ସରକାରୀ ଦଳ ପାଇଁ ଆଶ୍ବସ୍ତି ଆଣି ଦେଇଛି ।
ପ୍ରଶ୍ନ ଉଠୁଛି, ଏମାନଙ୍କ ଭିତରେ ସତୀ କିଏ ? ଯେତେବେଳେ ଯିଏ କ୍ଷମତାରେ ଅଛନ୍ତି, ସେତେବେଳେ ସେମାନେ ନାନାଦି ଦୁରାଚାରରେ ଲିପ୍ତ ଅଛନ୍ତି । କ୍ଷମତା ପ୍ରଭାବରେ ନିଜ ପାପକୁ ଲୁଚାଇବାରେ ସକ୍ଷମ ହୋଇଛନ୍ତି । ପୂର୍ବରୁ ମନମୋହନ ସାମଲ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିବା ବେଳେ ଜଣେ ଯୁବତୀଙ୍କ ସହ ଅନ୍ତରଙ୍ଗ ଫଟୋ ଭାଇରାଲ ହୋଇଥିଲା । ସେତେବେଳେ ତାଙ୍କୁ ବଦନାମ ମୁଣ୍ଡେଇ ମନ୍ତ୍ରୀ ପଦ ଛାଡିବାକୁ ପଡିଥିଲା । ବିଜେଡି ସରକାର ଅମଳରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣାରେ ତତକାଳୀନ ମନ୍ତ୍ରୀ ଓ ରାଜନେତାଙ୍କ ସଂପୃକ୍ତି ଥିବା ଅଭିଯୋଗ ବିଷୟରେ ସମସ୍ତେ ଜାଣିଛନ୍ତି । କଂଗ୍ରେସ ସରକାର ଅମଳରେ ବି ଏମିତି ଅନେକ ଦୁରାଚାର ଘଟଣାରେ ନେତାମାନଙ୍କ ସଂପୃକ୍ତିକୁ ନେଇ ଦଳକୁ ଏମିତି ବଦନାମ ମୁଣ୍ଡେଇବାକୁ ପଡିଥିଲା ଯେ, ଆଜି ଯାଏଁ ଉଧେଇ ପାରୁନି । ଏବେ ବିଜେପି ସରକାର କ୍ଷମତାରେ । ବର୍ଷେ ହୋଇଛି ମାତ୍ର । କ୍ଷମତାରେ ରହି ଦଳୀୟ ସ୍ବାର୍ଥରୁ ଉର୍ଦ୍ଧକୁ ଯାଇ ଦୁରାଚାରୀ ନେତାଙ୍କୁ ଦଣ୍ଡ ଦେଇପାରିଲେ ସାଧାରଣରେ ଗ୍ରହଣୀୟ ହୋଇପାରିବ । ନଚେତ ସମୟ ପୁଣି ବାଟ ଦେଖାଇଦେବ ।

LEAVE A REPLY

Please enter your comment!
Please enter your name here