ମୃତ୍ୟୁ ସହ ସଂଗ୍ରାମ କରି କରି ଶେଷରେ ଆଖି ବୁଜି ଦେଇଛନ୍ତି ବଳଙ୍ଗା ପୀଡିତା । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ରାଜ୍ୟ ସରକାର ତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟିଂ କରିଥିଲେ । ବର୍ଣ୍ଣ ୟୁନିଟରେ ତାଙ୍କର ଚିକିତ୍ସା କରାଯାଉଥିଲା । ସ୍ବତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା କରୁଥିଲେ ହେଁ ତାଙ୍କୁ ବଞ୍ଚାଇ ପାରି ନ ଥିଲେ । ତାଙ୍କ ଶରୀରର 75 ପ୍ରତିଶତ ପୋଡି ଯାଇଥିଲା । ଆଜି ତାଙ୍କର ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାର ପ୍ରତି ସେ ଗଭୀର ସମବେଦନା ଜ୍ଞାପନ କରିଛନ୍ତି । ଝିଅଟିର ମୃତ୍ୟୁ ଖବରରେ ସେ ମର୍ମାହତ ଏବଂ ଏଭଳି ଦୁଃଖ ସହିବା ପାଇଁ ଇଶ୍ବର ତାଙ୍କ ପରିବାରକୁ ଧୈର୍ଯ୍ୟ ଓ ସାହସ ଦିଅନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି । ବଳଙ୍ଗା ପୀଡିତା ଆଖି ବୁଜିଥିଲେ ତାଙ୍କୁ କିଏ ଓ କାହିଁକି ନିଆଁ ଲଗେଇ ପୋଡି ମାରିବାକୁ ଉଦ୍ୟମ କରିଥିଲା, ତାର କାରଣ ସ୍ପଷ୍ଟ ହୋଇନାହିଁ ।
ଗତ 19 ତାରିଖ ସକାଳେ ବଳଙ୍ଗାର ଏହି ନାବାଳିକା ଦେହରେ କେହି ଦୁର୍ବୃତ୍ତ ନିଆଁ ଲଗେଇ ଦେଇଥିବା କୁହାଯାଉଛି । ନିଆଁ ଲାଗି ଜଳୁଥିବା ଅବସ୍ଥାରେ ସେ ଦଉଡି ଦଉଡି ପାଖରେ ଜଣଙ୍କ ଘରେ ପହଞ୍ଚିଥିଲା ଏବଂ ତାଙ୍କୁ ପାଣି ମାଗିଥିଲା । ଉଦ୍ଧାରକାରୀ ବ୍ୟକ୍ତି ଜଣକ ପାଣଇ ଢାଳି ନିଆଁ ଲିଭାଇବା ସହ ଦେହରେ କପଡା ଢାଙ୍କି ଦେଇଥିଲେ । ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ପରେ ପୀଡିତାଙ୍କ ମାଆ ବଳଙ୍ଗା ଥାନାରେ କେହି ଦୁର୍ବୃତ୍ତ ତାଙ୍କ ନାବାଳିକା ଝିଅ ଦେହରେ ନିଆଁ ଲଗେଇ ପୋଡି ମାରିବାକୁ ଉଦ୍ୟମ କରିଥିବା ଅଭିଯୋଗ କରିଥିଲେ ।
ନାବାଳିକାଙ୍କୁ ପୋଡି ମାରିବା ପଛର କାରଣ ସଂପର୍କରେ ଏପର୍ଯ୍ୟନ୍ତ ପୋଲିସ ସ୍ପଷ୍ଟ ସୂଚନା ଦେଇ ନ ଥିଲେ ହେଁ ଘଟଣା ପଛରେ ଆଉ କେହି ସଂପୃକ୍ତ ନ ଥିବା ସୂଚନା ମିଳିଛି । ତେବେ ପୀଡିତାଙ୍କ ମୃତ୍ୟୁ ହୋଇଯାଇଥିବାରୁ ଘଟଣା ସଂପର୍କରେ ଅଯଥା ମନ୍ତବ୍ୟ ନ ଦେବାକୁ ପୋଲିସ ଅନୁରୋଧ କରିଛି ।














