ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡିବା ଘଟଣାକୁ ୪ ଦିନ ହୋଇସାରିଲା, କିନ୍ତୁ ପୁଲିସ ଏପର୍ଯ୍ୟନ୍ତ ସତ୍ୟ କଣ ଖୋଜିପାରିନାହାନ୍ତି । ଆତ୍ମହତ୍ୟା ଉପରେ ସନ୍ଦେହ ରହିଥିବାବେଳେ, ଚାରିପାଖର ପରିସ୍ଥିତି ରହସ୍ୟକୁ ଆହୁରି ଗମ୍ଭୀର କରୁଛି ।
ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡି ଘଟଣା ଏପର୍ଯ୍ୟନ୍ତ ରହସ୍ୟର ଘେରାରେ। କିଏ ବାନ୍ଧିଥିଲା ଛାତ୍ରୀକୁ? କାହିଁକି ତାଙ୍କ ଚିତ୍କାର କାହାର କାନରେ ପଡ଼ିଲା ନାହିଁ? ମୃତ୍ୟୁ ପଛରେ ଆଉ କାହାର ହାତ ଅଛି କି? ୪ ଦିନ ହେଲେମଧ୍ୟ, ପୋଲିସ ପାଖରେ ଏହି ପ୍ରଶ୍ନର ସ୍ପଷ୍ଟ ଉତ୍ତର ନାହିଁ। ଏହି ପରିସ୍ଥିତିରେ ଆଜି ନିଜେ ଏସପି ମୃତ ଛାତ୍ରୀଙ୍କ ଗାଁକୁ ପହଞ୍ଚି, ପଡ଼ୋଶୀଙ୍କ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ। ପରିବାର ସହିତ ମୁହାଁମୁହିଁ କଥା ହେବା ସହ, ଏସପି ସିଦ୍ଧାର୍ଥ କଟାରିଆଙ୍କ ଟିମ୍ ବିଭିନ୍ନ ଦିଗରୁ ତଦନ୍ତକୁ ଆଗେଇ ନେଉଛି।
ଝିଅ ଆତ୍ମହତ୍ୟା କରିଥିବା କଥା ବାରମ୍ବାର କହୁଛନ୍ତି ବାପା, ତେଣୁ ମୃତ ଛାତ୍ରୀଙ୍କ ବାପାଙ୍କ ମୋବାଇଲ ଯାଞ୍ଚ କରି ପ୍ରମାଣ ଖୋଜୁଛି ପୋଲିସ। ଅନ୍ୟପଟେ, ପୁରୁଷ ବନ୍ଧୁଙ୍କୁ ଉଠାଇଥିବା ସୂଚନାକୁ ଏସପି ନିଜେ ଖଣ୍ଡନ କରିଛନ୍ତି। କିରୋସିନ, ପେଟ୍ରୋଲ କିମ୍ବା ଅନ୍ୟ କୌଣସି ଦ୍ରବ୍ୟ—ଛାତ୍ରୀ ଜଳିବାରେ କଣ ବ୍ୟବହୃତ ହୋଇଥିଲା, ସାଇଣ୍ଟିଫିକ୍ ଟିମ୍ ଏଯାଏଁ ନିର୍ଦ୍ଧାରଣ କରିପାରିନାହିଁ।
ଆତ୍ମହତ୍ୟା କି ହତ୍ୟା—ପୋଲିସ ସୁରାଗ ନ ପାଇଥିବା ବେଳେ, ଏବେ ସମସ୍ତଙ୍କ ଦୃଷ୍ଟି ପୋଷ୍ଟମର୍ଟମ ରିପୋର୍ଟ ଉପରେ ରହିଛି।













