ଆମେରିକାର ସହଯୋଗରେ ଆତ୍ମବିଶ୍ୱାସୀ ହୋଇଥିବା ପାକିସ୍ତାନ, ଏବେ ସାରା ବିଶ୍ୱକୁ ପରମାଣୁ ଧମକ ଦେଇଛି । ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଆମେରିକାରୁ ସାରା ବିଶ୍ବକୁ ଏକ ଧମକ ଦେଇଛନ୍ତି । ସେ କହିଛନ୍ତି, ଯଦି ପାକିସ୍ତାନ ଭାରତ ସହିତ ଯୁଦ୍ଧରେ ଅସ୍ତିତ୍ୱ ହରାଏ, ତେବେ ସେମାନେ ସମଗ୍ର ବିଶ୍ବକୁ ପରମାଣୁ ଯୁଦ୍ଧକୁ ଠେଲିଦେବେ । ସେ କହିଛନ୍ତି, “ଆମେ ପରମାଣୁ ଶକ୍ତିଧରୀ ଦେଶ, ହାରିବାର ଅନୁଭବ ହେଲେ, ଅଧା ବିଶ୍ୱକୁ ସାଙ୍ଗରେ ନେଇ ଡୁବିବୁ ।” ଏହା ପ୍ରଥମ ଥର ଯେ, ଆମେରିକା ମାଟିରୁ ଏପରି ଧମକ ଶୁଣିବାକୁ ମିଳିଲା।
ରିପୋର୍ଟ ଆଧାରରେ, ମୁନିର କହିଛନ୍ତି ଯେ ଭାରତ ସିନ୍ଧୁ ଜଳ ଚୁକ୍ତି ବନ୍ଦ କରିଦେଇଛି, ଯେଉଁଥିପାଇଁ ୨.୫ କୋଟି ଲୋକ ଭୋକ ଶୋଷରେ ମରିପାରନ୍ତି । ତେଣୁ ଏହାକୁ ନେଇ ପାକିସ୍ତାନ ସେନା ମୁଖ୍ୟ ଧମକ ଦେଇ କହିଛନ୍ତି, ଯେତେବେଳେ ଭାରତ ସିନ୍ଧୁ ନଦୀ ଉପରେ ଅଧିକ ବନ୍ଧ ନିର୍ମାଣ କରିବ, ସେତେବେଳେ ସେମାନେ ଦଶଟି ମିସାଇଲ୍ ସାହାଯ୍ୟରେ ଏହାକୁ ଧ୍ୱଂସ କରିଦେବେ । ପାକିସ୍ତାନର ଫିଲ୍ଡ ମାର୍ଶାଲ କହିଛନ୍ତି, ସିନ୍ଧୁ ନଦୀ ଉପରେ ଭାରତର କୌଣସି ବ୍ୟକ୍ତିଗତ ମାଲିକାନା ନାହିଁ ଏବଂ ଆମ ପାଖରେ ମିସାଇଲ୍ର ବି ଅଭାବ ନାହିଁ ।
ଅପରେସନ ସିନ୍ଦୂର’କୁ ନେଇ ବାୟୁସେନା ର ମୁଖ୍ୟ ଏ .ପି. ସିଂହଙ୍କ ପରେ ଏବେ ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି, ପରବର୍ତ୍ତୀ ଯୁଦ୍ଧ ଶୀଘ୍ର ହୋଇପାରେ ଏବଂ ତାହା ପାଇଁ ପ୍ରସ୍ତୁତି ଆବଶ୍ୟକ । ‘ଅପରେସନ ସିନ୍ଦୂର’ ବେଳେ ସରକାର ସେନାକୁ ପୂର୍ଣ୍ଣ କ୍ଷମତା ଦେଇଥିଲା ଏବଂ ଦୁଇପକ୍ଷର ଯୋଜନା ଗୁପ୍ତ ରହିଲା । କିନ୍ତୁ ଏଥର ଯୁଦ୍ଧ ହେଲେ ପାକିସ୍ତାନକୁ କଡ଼ା ଜବାବ ଦିଆଯିବ ।













