ଯଦିଓ ବିଜୁ ଜନତା ଦଳ ପାଇଁ ସବୁ କିଛି କରୁଥିଲେ, ମାତ୍ର ଦଳ ଭିତରେ ସେ ନ ଥିଲେ । ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ସେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇ ବିଜେଡିରେ ସାମିଲ ହୋଇଛନ୍ତି ଭି.କେ. ପାଣ୍ଡିଆନ ।
ଆଜି ସକାଳେ ବିଜେଡିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ନବୀନ ନିବାସରେ ବସିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପ୍ରତାପ ଦେବ, ପ୍ରସନ୍ନ ଆଚାର୍ଯ୍ୟ, ସମୀର ଦାସ, ଅରୁଣ ସାହୁ, ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମାଙ୍କ ସମେତ କିଛି ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ଉପସ୍ଥିତିରେ ଭି.କେ. ପାଣ୍ଡିଆନ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉତ୍ତରାଧିକାରୀ ପଦକୁ ନେଇ ଲାଗି ରହିଥିବା ସସପେନ୍ସ କ୍ରମଶଃ ଦୂର ହେବାରେ ଲାଗିଛି । ପାଣ୍ଡିଆନ ଆଇଏଏସ ଚାକିରୀ ଛାଡି ବିଜେଡିରେ ଯୋଗ ଦେବା ପୂର୍ବରୁ ନବୀନ ନିବାସରେ ସମସ୍ତ କାର୍ଯ୍ୟ କରୁଥିଲେ ଏବଂ ଦଳୀୟ ନେତା ଓ କର୍ମୀଙ୍କୁ ନବୀନ ନିବାସରେ ଭେଟୁଥିଲେ । ନବୀନ ନିବାସରେ ପାଣ୍ଡିଆନଙ୍କ କାର୍ଯ୍ୟ ଏବଂ ଆଜି ବିଜେଡିରେ ଯୋଗ ଦେବା ପରେ ସେ ଯୋ ନବୀନଙ୍କ ରାଜନୈତିକ ଉତ୍ତରାଧିକାରୀ ହେବାକୁ ଯାଉଛନ୍ତି, ତାହା କ୍ରମଶଃ ସ୍ପଷ୍ଟ ହେବାକୁ ଯାଉଛି ।
ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, ପାଣ୍ଡିଆନ ଗତ କିଛି ବର୍ଷ ହେଲାଣି ରାଜ୍ୟ ପାଇଁ କଠିନ ପରିଶ୍ରମ କରୁଛନ୍ତି । ତାଙ୍କୁ ଦଳକୁ ସ୍ବାଗତ କରିବା ସହ ଜଣେ ସଦସ୍ୟ ଭାବେ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ପାଣ୍ଡିଆନ କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ସେ ରାଜ୍ୟ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବେ ।
ଗତ ସେପ୍ଟେମ୍ବର 23 ତାରିଖରେ ଭିକ.କେ. ପାଣ୍ଡିଆନ ଆଇଏଏସ ଚାକିରୀରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ । ଏହା ପରେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ 5T ଅଧ୍ୟକ୍ଷ ଭାବେ କ୍ୟାବିନେଟ ପାହ୍ୟାରେ ଯୋଗ ଦେଇଥିଲେ ।
2000 ବ୍ୟାଚ ଆଇଏଏସ ଭି.କେ. ପାଣ୍ଡିଆନ ପଞ୍ଜାବ କ୍ୟାଡରର ଆଇଏଏସ ଭାବେ ନିଯୁକ୍ତି ପାଇଥିଲେ ହେଁ ପରେ ସେ ଓଡିଶା କ୍ୟାଡର ଆଇଏଏସ ସୁଜାତା ରାଉତଙ୍କୁ ବିବାହ କରିବା ପରେ କ୍ୟାଡର ପରିବର୍ତ୍ତନ କରିଥିଲେ । କଳାହାଣ୍ଡି ୁପଜିଲ୍ଲାପାଳ, ଗଞ୍ଜାମ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟତର ହୋଇଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦରେ ରହି କାର୍ଯ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here