ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ବୁଧବାର ନିଜର ନାମାଙ୍କନ ପତ୍ର ଦାଖଲ କଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ସେଟ୍ରେ ମୁଖ୍ୟ ପ୍ରସ୍ତାବକ ଭାବେ ଦସ୍ତଖତ କରିଥିଲେ। କାର୍ଯ୍ୟକ୍ରମରେ ବହୁ କେନ୍ଦ୍ରମନ୍ତ୍ରୀ ଏବଂ ଏନଡିଏର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହିଥିଲେ। ସୂଚନା ମିଳିଛି, ମୋଟ ଚାରିଟି ସେଟ୍ରେ ୮୦ ଜଣ ପ୍ରସ୍ତାବକ ଓ ୮୦ ଜଣ ସମର୍ଥକଙ୍କ ଦସ୍ତଖତ ସହିତ ନାମାଙ୍କନ ପତ୍ର ଦାଖଲ ହୋଇଛି। ବର୍ତ୍ତମାନ ମେଘାଳୟର ରାଜ୍ୟପାଳ ଥିବା ସିପି ରାଧାକ୍ରିଷ୍ଣନଙ୍କୁ ଏନଡିଏ ସର୍ବସମ୍ମତି କ୍ରମେ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ମନୋନୀତ କରିଥିଲା । ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆରେ ରାଧାକ୍ରିଷ୍ଣନଙ୍କର ଜନସେବା ପ୍ରତି ଥିବା ନିଷ୍ଠାକୁ ପ୍ରଶଂସା କରିଥିଲେ । ତାମିଲନାଡୁର ଏହି ବରିଷ୍ଠ ବିଜେପି ନେତା ପୂର୍ବରୁ କୋଏମ୍ବଟୁରରୁ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଝାଡ଼ଖଣ୍ଡର ରାଜ୍ୟପାଳ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।














