ଏମଏସ ଧୋନୀଙ୍କୁ କେବଳ ଭାରତରେ ନୁହେଁ, ବିଶ୍ୱ କ୍ରିକେଟରେ ମଧ୍ୟ ସର୍ବକାଳୀନ ଶ୍ରେଷ୍ଠ ଅଧିନାୟକମାନଙ୍କ ମଧ୍ୟରୁ ଗଣାଯାଏ। ତାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ୨୦୦୭ରେ ଟି-୨୦ ବିଶ୍ବକପ୍, ୨୦୧୧ରେ ଏକଦିବସୀୟ ବିଶ୍ବକପ୍ ଏବଂ ୨୦୧୩ରେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ଖେଳାଳିମାନଙ୍କୁ ଆତ୍ମବିଶ୍ବାସ ଦେବାରେ ଧୋନୀଙ୍କୁ ‘ପ୍ଲେୟର୍ସ କ୍ୟାପ୍ଟେନ୍’ ବୋଲି କୁହାଯାଏ। କିନ୍ତୁ ଏହିଥ୍ରେ ଏକ ନୂତନ ରୋଚକ ଅଭିଯୋଗ ଆସିଛି। ପଶ୍ଚିମବଙ୍ଗର ଜଣେ ଜ୍ୟେଷ୍ଠ ଖେଳାଳି କହିଛନ୍ତି ଯେ, ଧୋନୀ ସବୁବେଳେ ସମାନ ବ୍ୟବହାର କରିନଥିଲେ।
ପୂର୍ବତନ ଭାରତୀୟ କ୍ରିକେଟର ଏବଂ ପଶ୍ଚିମବଙ୍ଗର ନାମଜଣା ଖେଳାଳି ମନୋଜ ତିୱାରୀ ନିକଟରେ ଧୋନୀଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି। ତିୱାରୀଙ୍କ ଦାବି, ଧୋନୀଙ୍କ ପକ୍ଷପାତିତାରୁ ସେ ଭାରତୀୟ ଦଳରେ ପର୍ଯ୍ୟାପ୍ତ ସୁଯୋଗ ପାଇନଥିଲେ। ୨୦୧୧ରେ ୱେଷ୍ଟଇଣ୍ଡିଜ୍ ବିରୋଧରେ ସେ ଶତକ କରିଥିଲେ, ୨୦୧୨ରେ ମଧ୍ୟ ଚାରିଟି ୱିକେଟ୍ ନେଇ ଦଳକୁ ଜିତାଇଥିଲେ, କିନ୍ତୁ ତା’ପରେ ମଧ୍ୟ ସେ ନିୟମିତ ସୁଯୋଗ ପାଇ ପାରିଲେ ନାହିଁ । ସେ କହିଥିଲେ, “ସମସ୍ତେ ଧୋନୀଙ୍କୁ ପସନ୍ଦ କରନ୍ତି । ସେ ତାଙ୍କ ଅଧିନାୟକତ୍ୱରେ ନିଜକୁ ପ୍ରମାଣିତ କରିଛନ୍ତି । ମୁଁ ସବୁବେଳେ କହେ ଯେ ତାଙ୍କର ନେତୃତ୍ୱ ଗୁଣବତ୍ତା ଉତ୍କୃଷ୍ଟ ଥିଲା । କିନ୍ତୁ ମୋ କ୍ଷେତ୍ରରେ, ମୁଁ ଜାଣିନାହିଁ, କେବଳ ସେ ହିଁ ଏହାର ଉତ୍ତର ଦେଇପାରିବେ । କିନ୍ତୁ ମୁଁ ଭାବୁଛି କିଛି ଖେଳାଳି ଥିଲେ ଯେଉଁମାନଙ୍କୁ ସେ ବହୁତ ପସନ୍ଦ କରୁଥିଲେ ଏବଂ ସେମାନଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ ।” ସେ କହିଥିଲେ, “ସମସ୍ତେ ଏହା ଜାଣନ୍ତି କିନ୍ତୁ ଖୋଲାଖୋଲି ଭାବରେ କୁହନ୍ତି ନାହିଁ। ସେଥିପାଇଁ କ୍ରିକେଟରେ ସବୁଠି ପସନ୍ଦ ଏବଂ ନାପସନ୍ଦ ଥାଏ । ସେଥିପାଇଁ ମୁଁ ନିଜକୁ ସେମାନଙ୍କ ମଧ୍ୟରୁ ଜଣେ ବୋଲି ମାନିଥାଏ ଯାହାକୁ ସେ ପସନ୍ଦ କରୁନଥିଲେ । ସେ ମୋତେ ପସନ୍ଦ କରୁନଥିଲେ ।”
ମନୋଜ ତିୱାରୀଙ୍କ କହିବା କଥା, ସେ ଲଗାତାର ଭଲ ଖେଳିଥିଲେ ମଧ୍ୟ, ତାଙ୍କୁ ପରିଚୟ ଏବଂ ସୁଯୋଗ ମିଳିବା ଉଚିତ ଥୁଲା, କିନ୍ତୁ ମିଳିଲା ନାହିଁ। ତାଙ୍କ ମତରେ, ଏହାକୁ ଧୋନୀ, ତତ୍କାଳୀନ କୋଚ୍ ଡଙ୍କନ୍ ଫ୍ଲେଚର ଏବଂ ସେବେଳର ଚୟନକର୍ତ୍ତାମାନେ କହି ପାରିବେ । ସେ ସୃଷ୍ଟ କରିଛନ୍ତି—“ମୁଁ ଧୋନୀଙ୍କୁ ସାମ୍ନାରେ ପାଇଲେ ନିଶ୍ଚୟ ପଚାରିବି, ମୋର ଶତକ ପରେ ମୋତେ କାହିଁକି ଦଳରୁ ବାହାର କରାଗଲା?”













