ଭୋଟ୍ ଚୋରି ପ୍ରସଙ୍ଗକୁ ନେଇ ରାହୁଲ ଗାନ୍ଧୀ ପୁଣିଥରେ ମୋଦୀ ସରକାରକୁ ଟାର୍ଗେଟ କରିଛନ୍ତି । ବିହାରରେ ଚାଲୁଥିବା ଭୋଟର ଅଧିକାର ଯାତ୍ରାର ୧୨ତମ ଦିନରେ ସେ ସୀତାମଢୀର ଜାନକୀ ମାତା ମନ୍ଦିରରେ ଦର୍ଶନ କରି, ପରେ ଲୋକଙ୍କୁ ସମ୍ବୋଧିତ କରିଥିଲେ। ସେଠାରେ ରାହୁଲ ଗାନ୍ଧୀ, ନିର୍ବାଚନ ଆୟୋଗକୁ ସିଧାସଳଖ ଟାର୍ଗେଟ ସହିତ ବିଜେପିକୁ ଭୋଟ୍ ଚୋରିର ଅଭିଯୋଗ ଲଗାଇଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି – “ଆମେ ଭୋଟ୍ ଚୋରି ହେବାକୁ ଦେବୁନି । ଏମାନେ ପ୍ରଥମେ ଆପଣଙ୍କର ଭୋଟ୍ କବଜା କରିବେ, ପରେ ରାସନ୍ ଏବଂ ଆଧାର କାର୍ଡକୁ ମଧ୍ୟ ଲକ୍ଷ୍ୟ କରିବେ।”

ରାହୁଲ ଗାନ୍ଧୀ କହିଛନ୍ତି ଯେ, ବିହାରର ନିର୍ବାଚନରେ ଭୋଟ୍ ଚୋରି ଘଟାଇବାର ଚେଷ୍ଟା କରାଯାଉଛି । ଏହାକୁ ନେଇ ସେ ଭୋଟର ଅଧିକାର ଯାତ୍ରା ଆରମ୍ଭ କରିଛନ୍ତି । ରାହୁଲ ଗାନ୍ଧୀ ନିର୍ବାଚନ ଆୟୋଗକୁ ସୂଚନା ଦେଇ କହିଛନ୍ତି, ଯଦି ଲୋକ ସଚେତନ ହେଲେ ଭୋଟ୍ ଚୋରି ହେବାକୁ ଦିଆଯିବନି । ସେ ଦଳିତମାନଙ୍କୁ ସମ୍ବୋଧିତ କରି ଅତୀତର ସଂଘର୍ଷ ସମ୍ବନ୍ଧରେ କହିଛନ୍ତି, ସ୍ବାଧୀନତା ପୂର୍ବରୁ ତାଙ୍କ ସ୍ଥିତି ଦୁର୍ବଳ ଥୂଲା, ମାଡ଼ ମରାଯାଉଥିଲା ଏବଂ ଅଛୁଆଁ ଭଳି ବ୍ୟବହାର ହେଉଥିଲା । ସମ୍ବିଧାନ ତାଙ୍କୁ ଅଧିକାର ଦେଇଥିଲା, କିନ୍ତୁ ବିଜେପି ସେହି ଅଧିକାରକୁ ଛଡେଇବାକୁ ଚାହୁଁଛି ବୋଲି ରାହୁଲ କହିଛନ୍ତି ।
ରାହୁଲ ଗାନ୍ଧୀ କହିଛନ୍ତି ଯେ, ବିଜେପି ପୂର୍ବରୁ ଭୋଟ୍ ଚୋରି କରୁଥିଲା ଏବଂ ବର୍ତ୍ତମାନ ମଧ୍ୟ ଏହାକୁ ଜାରି ରଖିଛି । କିନ୍ତୁ ଆମେ ଏବେଯାଏଁ କେବଳ କର୍ଣ୍ଣାଟକ ନିର୍ବାଚନର ପ୍ରମାଣ ଦେଇଛୁ । ରାହୁଲ କହିଛନ୍ତି ଯେ, ଆସନ୍ତା ଦିନରେ ଲୋକସଭା ଏବଂ ହରିୟାଣା ନିର୍ବାଚନରେ ମଧ୍ୟ ଆମେ ଏହି ପ୍ରମାଣ ପ୍ରଦର୍ଶନ କରିବୁ, ଏବଂ ଦେଖାଇବୁ ଯେ ବିଜେପି ଓ ଆରଏସଏସ୍ ଭୋଟ୍ ଚୋରି କରୁଛନ୍ତି ।

LEAVE A REPLY

Please enter your comment!
Please enter your name here