ଦୀର୍ଘ ଚାରି ବର୍ଷ ହେବ ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ରୁଷ ଗୁରୁବାର ୟୁକ୍ରେନର କୀବ ଉପରେ ପ୍ରାୟ ୬୨୯ଟି ମିସାଇଲ୍ ଏବଂ ଡ୍ରୋନ୍ ମାଡ଼ କରିଛି । ଏଥିରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୮ ଜଣ ଗୁରୁତର ଆହତ ହୋଇଥିବା କୁହାଯାଉଛି । ରୁଷ ଆକ୍ରମଣରେ ୟୁକ୍ରେନସ୍ଥିତ ୟୁରୋପୀୟ ସଂଘର ଏକ କୋଠା କ୍ଷତିଗ୍ରସ୍ତ ହୋଇଥିବା ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଆନ୍ଦ୍ରେଇ ସିବିହା ଏକ୍ସରେ ପୋଷ୍ଟ କରିଛନ୍ତି । ଏହା ରୁଷର ଦ୍ୱିତୀୟ ବଡ଼ ମିସାଇଲ୍ ଆକ୍ରମଣ ବୋଲି ୟୁକ୍ରେନ୍ କହିଛି । ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ଆକ୍ରମଣ ସମ୍ପର୍କରେ ସୂଚନା ଦେଇଛନ୍ତି । କୀବ ଉପରେ ହୋଇଥିବା ଆକ୍ରମଣରେ ୧୪ ଜଣ ମୃତକଙ୍କ ମଧ୍ୟରେ ୩ ଜଣ ଛୋଟ ପିଲା ମଧ୍ୟ ସାମିଲ ଅଛନ୍ତି । ୟୁରୋପୀୟ ବିଲ୍ଡିଂ ସହିତ ଅନେକ କ୍ଷୟକ୍ଷତି ହୋଇଛି । ଆକ୍ରମଣକୁ କେବଳ ୟୁରୋପୀୟ ସଂଘ ନୁହେଁ ବରଂ ବିଶ୍ୱବ୍ୟାପୀ ନିନ୍ଦା କରାଯିବା ଉଚିତ ବୋଲି ଜେଲେନସ୍କି ଦାବି କରିଛନ୍ତି । ଅସ୍ତ୍ରବିରତୀ ଏବଂ ଆଲୋଚନା ପାଇଁ ନିରନ୍ତର ପ୍ରୟାସ କରାଯିବା ଉଚିତ ।

ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ୟୁଏଲ୍ ମୈକ୍ରୋ ଏକ୍ସରେ ପୋଷ୍ଟ କରି କହିଛନ୍ତି, ବିତିଥିବା ରାତିରେ ରୁଷ ୟୁକ୍ରେନ୍‌ରେ ୬୨୯ଟି ମିସାଇଲ୍ ଓ ଡ୍ରୋନ୍‌ର ଆକ୍ରମଣ କରିଛି । ସେ ଏହି ଆକ୍ରମଣକୁ ନେଇ ରୁଷକୁ ତୀବ୍ର ଭାବେ ସମାଲୋଚନା କରିଛନ୍ତି । ଏହା ସମ୍ବନ୍ଧରେ ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ସମସ୍ତ ଲକ୍ଷ୍ୟକୁ ସଫଳତାର ସହିତ ଆକ୍ରମଣ କରାଯାଇଛି । କିଞ୍ଜଲ୍ ହାଇପରସୋନିକ ମିସାଇଲ୍, ଡ୍ରୋନ୍ ଏବଂ ଏୟାରଷ୍ଟ୍ରାଇକ୍‌ରେ ୟୁକ୍ରେନର ସେନା ଶିବିର, ଏୟାରବେସ ଏବଂ ଜାହାଜକୁ ଟାର୍ଗେଟ୍ କରାଯାଇଥିଲା ।
ସେହିସହିତ, ପୂର୍ବ ୟୁକ୍ରେନର ନେଲିପିୱକାକୁ ଦଖଳ କରିବାର ଦାବି ରୁଷ ପକ୍ଷରୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here