ଆଜି ସଂଧ୍ୟାରେ ହେବାକୁ ଥିବା କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ ଓଡିଶାରୁ ଆଉ ଦୁଇ ଜଣ ସାଂସଦ ମନ୍ତ୍ରୀ ହେବାକୁ ଯାଉଛନ୍ତି । ବିଜେଡି ସମର୍ଥନରେ ବିଜେପି ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ସାଂସଦ ଅଶ୍ବିନୀ ବୈଷ୍ଣବଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଟିମରେ ସାମିଲ କରିବା ନେଇ ସୂଚନା ମିଳିଛି । ପୂର୍ବତନ ଓଡିଶା କ୍ୟାଡର ଆଇଏଏସ ଅଶ୍ବିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି । ସେହିପରି ମୟୁରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ନେଇ ସୂଚନା ମିଳିଛି । ଉଭୟ ଶ୍ରୀ ଟୁଡୁ ଓ ଶ୍ରୀ ବୈଷ୍ଣବ ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କଲ୍ ପାଇବା ପରେ ପ୍ରଧାନମନ୍ତ୍ରୀଙ୍କ ବାସବବନରେ ପହଞ୍ଚିଥିଲେ । ନୂଆ ମନ୍ତ୍ରୀଙ୍କ ତାଲିକା ରାଷ୍ଟ୍ରପତିଙ୍କ ଅନୁମୋଦନ ନିମନ୍ତେ ରାଷ୍ଟ୍ରପତି ଭବନକୁ ପଠାଯାଇଛି । ସଂପ୍ରସାରଣରେ 43 ଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯିବାର ସମ୍ଭାବନା ରହିଛି । ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ ଓଡିଶାରୁ ସାଂସଦ ଅଶ୍ବିନୀ ବୈଷ୍ଣବ ଓ ଦଳର ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ସାମିଲ କରାଯିବା ନେଇ ଚର୍ଚ୍ଚା ହେଉଥିଲା ।

ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଯାଇଥିବା ତାଲିକାରେ ଅନୁପ୍ରିୟା ପଟେଲ, ମିନାକ୍ଷୀ ଲେଖି, ସର୍ବାନନ୍ଦ ସୋନଓ୍ବାଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ପଶୁପତି ପାରସ, ଅଶ୍ବିନୀ ବୈଷ୍ଣବ, ଭୂପେନ୍ଦ୍ର ଯାଦବଙ୍କ ନାଁ ଥିବା ଜଣାପଡିଛି । ତେବେ ସଂଧ୍ୟା 6ଟାରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବାକୁ ଥିବା ବେଳେ ମୋଦିଙ୍କ ଟିମରେ ସାମିଲ ହେବାକୁ ଥିବା ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି ।

LEAVE A REPLY

Please enter your comment!
Please enter your name here