ରାଜଧାନୀରେ ନିଜ ଦେହରେ ନିଆଁ ଲଗାଇଦେଲେ ଆଇନଜୀବୀ । ମଞ୍ଚେଶ୍ବର ଥାନା ପାଣ୍ଡରା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ୪୬ ବର୍ଷୀୟ ଦୀପକ ସାହୁ। ଦୀପକ ଜଣେ ଆଇନଜୀବୀ । ଗୁରୁବାର ହଠାତ୍ ଛାତ ଉପରକୁ ଗରମ ଲାଗୁଥିବା କହି ଯାଇଥିଲେ। ହେଲେ ତା’ ପରେ ଆଉ ଫେରିନଥିଲେ । ସିଡି କବାଟ ବନ୍ଦ କରି ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ । ଚାହୁଁଚାହୁଁ ଦୀପକ ଜଳିଗଲେ। ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରୁ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଛି। ଦୀପକ ମାନସିକ ରୋଗରେ ଆକ୍ରାନ୍ତ ଥିବା କୁହାଯାଉଛି। ଏଥିପାଇଁ ସେ ଔଷଧ ଖାଉଥିଲେ। ହେଲେ ସେ କାହିଁକି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ, ଆତ୍ମାହୁତି ପଛର କାରଣ କ’ଣ, ତାହା ଏବେ ବି ଅସ୍ପଷ୍ଟ ରହିଛି। ଦୀପକ ନିଜ ପତ୍ନୀ ୨ ସନ୍ତାନ ଓ ମା’ଙ୍କ ସହ ରହୁଥିଲେ । ଗୁରୁବାର ରାତି ପାଖାପାଖି ୧୦ଟା ସମୟରେ ପତ୍ନୀ ଖାଇବା ପାଇଁ କହିବାରୁ ଗରମ ହେଉଥିବାରୁ ଛାତ ଉପରୁ ବୁଲାବୁଲି କରି ପରେ ଖାଇବେ ବୋଲି କହିଥିଲେ । ଦୀପକଙ୍କ ଫେରିବାରେ ବିଳମ୍ବ ହେବାରୁ ରାତି ସାଢ଼େ ୧୦ଟା ସମୟରେ ପତ୍ନୀ ୪ମହଲା ଛାତ ଉପରକୁ ଯାଇଥିଲେ। ହେଲେ ସିଡି କବାଟ ବନ୍ଦ ଥିବା ଦେଖି ସେ ଦୀପକଙ୍କୁ କବାଟ ଖୋଲିବାକୁ ଡାକିଥିଲେ । କିନ୍ତୁ ସେ କବାଟ ଖୋଲି ନଥିଲେ କି ଜବାବ ଦେଇନଥିଲେ। ପୋଡ଼ା ଗନ୍ଧ ସାଙ୍ଗକୁ ନିଆଁ ଦେଖି ପତ୍ନୀ ପାଟି କରି ପରିବାର ଲୋକଙ୍କୁ ଡାକିଥିଲେ । ପାଟି ଶୁଣି ପଡ଼ୋଶୀମାନେ ବି ଧାଇଁ ଆସିଥିଲେ । କବାଟ ଭିତର ପଟୁ ବନ୍ଦ ଥିବାରୁ ପାଖଘର ଛାତ ଦେଇ କିଛି ପଡ଼ୋଶୀ ଯୁବକ ସେଠାକୁ ଯାଇଥିଲେ । ହେଲେ ସେତେବେଳକୁ ଦୀପକଙ୍କ ଶରୀର ପୋଡ଼ି ଯାଇଥିଲା ଏଵଂ ମଞ୍ଚେଶ୍ବର ଥାନା ପୁଲିସର ଦୁଇଟି ଟିମ୍ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।














