ବିଚ୍ ରାସ୍ତାରେ ଜଣେ ଜୁନିଅର ଇଂଞିନିୟରଙ୍କୁ ଉଠ୍ ବସ୍ କରିବା ଘଟଣାରେ ଚର୍ଚ୍ଚାରେ ଥିବା ପାଟଣାଗଡର ବାହୁବଳୀ ବିଧାୟକ ସରୋଜ ମେହେର ଗିରଫ ହୋଇଛନ୍ତି । ପାଟଣାଗଡ ଥାନା ପୋଲିସ ସରୋଜଙ୍କୁ ଗିରଫ କରିଛି । ସୋମବାର ସରୋଜଙ୍କୁ ବଲାଙ୍ଗିର ପୋଲିସ ଅଟକ ରଖିଥିଲା । ପୋଲିସ ତାଙ୍କୁ ନୂଆପଡାରୁ ଆଣି ବଲାଙ୍ଗିରରେ ଜେରା କରୁଥିଲା । ପାଟଣାଗଡର ନବନିର୍ବାଚିତ ବିଜେଡି ବିଧାୟକ ସରୋଜ ମେହେରଙ୍କ ପାଖକୁ ତାଙ୍କ ନିର୍ବାଚନ ମଣ୍ଡଳୀର ମଣ୍ଡନରୁ ବେଲପଡାକୁ ନିର୍ମାଣ ହେଉଥିବା ପିଡବ୍ଲୁ୍ୟଡି ରାସ୍ତା କାମରେ ଅନିୟମିତତା ଅଭିଯୋଗ ଆସିଥିଲା । ନିଜେ ବିଧାୟକ ରାସ୍ତା କାମର ତଦାରଖ କରିବାକୁ ଯାଇ ସେଠାରେ ଉପସ୍ଥିତ ଥିବା ଜୁନିଅର ଇଞ୍ଜିନିୟର ଜୟକାନ୍ତ ଶବରଙ୍କୁ ସର୍ବସମ୍ମୁଖରେ କାନଧରି ୧୦୦ ଥର ଉଠ୍ ବସ୍ ହେବାକୁ କହିଥିଲେ । ଏବଂ ଉଠ୍ ବସ୍ ନହେଲେ ମାଡ ମାରିବାକୁ ମଧ୍ୟ ଧମକ ଦେଇଥିଲେ । ଏହାପରେ ଉକ୍ତ ଯନ୍ତ୍ରୀ ଜୟକାନ୍ତ ଶବରଙ୍କ ପତ୍ନୀ ପାଟଣାଗଡ ଥାନାରେ ଏତଲା ଦେଇଥିଲେ । ଉକ୍ତ ଘଟଣା ପରେ ବିରୋଧୀ ଦଳମାନେ ସରୋଜଙ୍କ ଗିରଫ ଦାବୀ କରିଥିଲେ । ଏପରିକି ବଲାଙ୍ଗିର ଜିଲ୍ଲା ଆଦିବାସୀ ସଂଘ ବିଧାନସଭା ଅଧିବେସନ ପୂର୍ବରୁ ସରୋଜଙ୍କୁ ଗିରଫ ନକଲେ ଆସନ୍ତା ୨୬ ତାରିଖରେ ବିଧାନସଭା ଘେରାଉ କରିବେ ବୋଲି ଧମକ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here