ପୁଣି ଭାରତ ଆଗରେ ମୁଣ୍ଡ ନୁଆଇଁଲେ ଟ୍ରମ୍ପ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେବେ ଟ୍ରମ୍ପ । ଆମେରିକା ଏବଂ ଭାରତ ମଧ୍ୟରେ ଥିବା ବ୍ୟବସାୟିକ ପ୍ରତିବନ୍ଧକ ଦୂର ପାଇଁ ହେବ ଆଲୋଚନା । ଟାରିଫ୍ ବିବାଦ ନେଇ ଆଲୋଚନା ହେବ ବୋଲି ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ’ରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ମୁଁ ଘୋଷଣା କରି ଖୁସି ଯେ ଭାରତ ଏବଂ ଆମେରିକା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପ୍ରତିବନ୍ଧକ ଦୂର କରିବା ପାଇଁ ଆଲୋଚନା ଜାରି ରଖିଛନ୍ତି ।ଆମେରିକାର ରାଷ୍ଟ୍ରପତି କହିଛନ୍ତି, ‘ମୁଁ ଆଗାମୀ ସପ୍ତାହରେ ମୋର ବହୁତ ଭଲ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେବାକୁ ଅପେକ୍ଷା କରିଛି ।’ ସେ ଏହା ମଧ୍ୟ କହିଛନ୍ତି ଯେ ‘ମୁଁ ବିଶ୍ୱାସ କରୁଛି ଯେ ଆମର ଉଭୟ ମହାନ ଦେଶ ପାଇଁ ଏକ ସଫଳ ନିଷ୍କର୍ଷରେ ପହଞ୍ଚିବାରେ କୌଣସି ଅସୁବିଧା ହେବ ନାହିଁ।’
ଟ୍ରମ୍ପଙ୍କ ସୋସିଆଲ୍ ମିଡିଆ ପୋଷ୍ଟର ଉତ୍ତର ଦେଇଛନ୍ତି ପିଏମ୍ ମୋଦି। ଭାରତ ଏବଂ ଆମେରିକା ଘନିଷ୍ଠ ବନ୍ଧୁ ଏବଂ ସ୍ୱାଭାବିକ ଅଂଶୀଦାର। ମୁଁ ନିଶ୍ଚିତ ଯେ ଆମର ବାଣିଜ୍ୟ ଆଲୋଚନା ଭାରତ-ଆମେରିକା ସହଭାଗୀର ଅସୀମ ସମ୍ଭାବନାକୁ ଉନ୍ମୁକ୍ତ କରିବା ପାଇଁ ପଥ ପ୍ରଶସ୍ତ କରିବ। ଆମର ଟିମ୍ ଏହି ଆଲୋଚନାଗୁଡ଼ିକୁ ଯଥାଶୀଘ୍ର ସମାପ୍ତ କରିବାକୁ କାମ କରୁଛନ୍ତି । ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହେବାକୁ ମଧ୍ୟ ଅପେକ୍ଷା କରିଛି । ଆମେ ଉଭୟ ଲୋକଙ୍କ ପାଇଁ ଏକ ଉଜ୍ଜ୍ୱଳ, ଅଧିକ ସମୃଦ୍ଧ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ଏକାଠି କାମ କରିବୁ।
ଆମେରିକା ଭାରତୀୟ ସାମଗ୍ରୀ ଉପରେ ୫୦% ଶୁକ୍ଳ ଲଗାଇବା ପରେ, ରାଷ୍ଟ୍ରପତି ଟ୍ରମ୍ପ ଆଲୋଚନାର ଘୋଷଣା କରିଛନ୍ତି। ସୂତ୍ରମାନଙ୍କ କହିବା ଅନୁଯାୟୀ, ଭାରତ ଯେତେବେଳେ ରୁଷିଆରୁ ତେଲ କ୍ରୟ କରିଥିଲା, ସେଥିରେ ୨୫% ଶୁକ୍ଳ ଲଗାଇଥିଲା ଆମେରିକା। ଏହି ଆଲୋଚନାରୁ କୌଣସି ସମାଧାନ ମିଳିବ ବୋଲି ଆଶା କରାଯାଉଛି।














