ରାଜଧାନୀରେ ଚାଞ୍ଚଲ୍ୟ। କୋଲ୍ଡ ଡ୍ରିଙ୍କସରେ ନିଶା ଦେଇ ଗଣଦୁଷ୍କର୍ମ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ। ଅଭିଯୁକ୍ତମାନେ ହେଲେ ଚନ୍ଦନ କୁମାର ହତୀ, ପ୍ରସନ୍ନ କୁମାର ଆଚାର୍ଯ୍ୟ ଏବଂ ରାଜେଶ କୁମାର ଦାସ। ଏମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଖବର ମୁତାବକ, ଅଭିଯୁକ୍ତ ଚନ୍ଦନର ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ସହ ଚିହ୍ନା ହୋଇଥିଲା। ପରେ ସେମାନଙ୍କ ସମ୍ପର୍କ ନିବିଡ ହୋଇଥିଲା। ପରେ ଗତ ୧୦ ତାରିଖରେ ଫଟୋସୁଟ୍ କରିବା ବାହାନାରେ ଯୁବତୀଙ୍କୁ ଏକ ଲଜ୍ କୁ ଡାକିଥିଲା ଚନ୍ଦନ। ଗାୟିକା କରାଇବାକୁ ସ୍ଵପ୍ନ ଦେଖାଇ ପୀଡିତାଙ୍କୁ ନେଇ ଆସିଥିଲେ ଅଭିଯୁକ୍ତ ଏବଂ ତାଙ୍କୁ ନିର୍ଦେଶକଙ୍କ ସହ ଭେଟ କରାଇବାକୁ ନେଇ ଯାଇଥିଲେ। ତେବେ ଗତ ୧୦ ତାରିଖ ଦିନ ଅପରାହ୍ନ ସମୟରେ ଲଜ୍ କୁ ଡାକିଥିଲା ଚନ୍ଦନ । ଏହି ସମୟରେ ଉକ୍ତ ଲଜ୍ ରେ ଚନ୍ଦନର ଅନ୍ୟ ଦୁଇ ଜଣ ସାଙ୍ଗ ପ୍ରସନ୍ନ କୁମାର ଆଚାର୍ଯ୍ୟ ଏବଂ ରାଜେଶ କୁମାର ଦାସ ମଧ୍ୟ ଉପସ୍ଥିତ ଥିଲେ । ସେଠାରେ ମୃଦୁ ପାନୀୟ ସହ ନିଶା ଦେଇ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଥାନାରେ ଏତଲା ପରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି ଓ ପୁରା ମାମଲାରେ ତଦନ୍ତ କରୁଛି ।














