ବେଙ୍ଗାଲୁରୁରୁ ବାରଣାସୀକୁ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନକୁ ହାଇଜାକ୍ କରିବା ଚେଷ୍ଟା ହୋଇଥିବା ସନ୍ଦେହରେ ଜରୁରୀକାଳୀନ ଅବତରଣ କରାଯାଇଛି । ବିମାନଟି ବାରଣାସୀ ବାବତପୁର ବିମାନବନ୍ଦରରେ ସୁରକ୍ଷାପୂର୍ବକ ଲାଣ୍ଡ୍ କରାଗଲା । ସେଥିରେ ଥିବା ୯ ଯାତ୍ରୀଙ୍କୁ ପୋଲିସ୍ ଦ୍ୱାରା ଜେରା କରାଯାଉଛି । ସୋମବାର ବେଙ୍ଗାଲୁରୁ ୧୬୩ ଜଣ ଯାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବୋଇଁ ୭୩୭ ମ୍ୟାକ୍ସ-୮ ବିମାନ ଉଡ଼ାଣ ଆରମ୍ଭ କରିଥିଲା । ଏହି ସମୟରେ ଦୁଇ ଜଣ ଯାତ୍ରୀ ବିମାନ କକପିଟ୍ ଖୋଲିବାକୁ ଉଦ୍ୟମ କରିଥିଲେ । ଫଳରେ ବିମାନ ଚାଳକ ଏହାକୁ ଏକ ହାଇଜାକ୍ ଉଦ୍ୟମ ସନ୍ଦେହ କରି ବିମାନକୁ ବାରଣାସୀରେ ସମୟ ପୂର୍ବରୁ ଅବତରଣ କରାଇଥିଲେ ।ଏହା ପରେ କକପିଟ୍ ଖୋଲିବାକୁ ଉଦ୍ୟମ କରୁଥିବା ଦୁଇ ଜଣ ଯାତ୍ରୀଙ୍କୁ ସିଆଇଏସ୍ଏଫକୁ ହସ୍ତାନ୍ତର କରାଯାଇଥିଲା । ପରେ ସିଆଇଏସଏଫ ସ୍ଥାନୀୟ ପୋଲିସକୁ ୯ ଜଣ ଯାତ୍ରୀଙ୍କୁ ହସ୍ତାରନ୍ତର କରିଛି । ସେମାନଙ୍କୁ ପୋଲିସ ଜେରା କରୁଛି । ସେମାନେ କକପିଟ୍ ଦ୍ୱାରରେ କିଛି କୋଡ୍ ପକାଉଥିଲେ ବୋଲି କୁହାଯାଉଛି ।ଅନ୍ୟପକ୍ଷରେ ଜଣାପଡ଼ିଛି ଯେ, ଯାତ୍ରୀ ୨ ଜଣ ବିମାନ ଶୌଚାଳୟ ଭାବି କକପିଟକୁ ଭୁଲବଶତଃ ଖୋଲିଥିଲେ । ସେମାନେ କହିଛନ୍ତି ପ୍ରଥମଥର ପାଇଁ ବିମାନରେ ଯାତ୍ରା କରୁଥିଲେ , ତେଣୁ ବିମାନ ବିଷୟରେ କିଛି ଜାଣିନଥିବା କହିଛନ୍ତି । କକପିଟ୍ ଖୋଲିବାକୁ ଚେଷ୍ଟା କରୁଥିବାବେଳେ କ୍ର୍ୟୁ ସଦସ୍ୟ ସେମାନଙ୍କୁ ବାରଣ କରିଥିଲେ । ଏହା ପରେ ସେମାନେ ଆଉ ଖୋଲି ନ ଥିଲେ ବୋଲି କହିଛନ୍ତି । ଯାତ୍ରୀ ଦୁଇ ଜଣ କାହିଁକି ଖୋଲୁଥିଲେ କିମ୍ବା ଅଜାଣତରେ ଖୋଲୁଥିଲେ ତାହା ସ୍ପଷ୍ଟ ହୋଇପାରିନାହିଁ , ପୋଲିସ ତଦନ୍ତ ଜାରି ରଖିଛି।














