ବିଜେଡ଼ି ଆଜି ବିଧାନସଭା ଘେରାଉ ଡାକରା ଦେଇଛି । ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ହେବାପରେ ଏହାକୁ ବିରୋଧ କରି, ବିଜୁ ଜନତା ଦଳ ବିଧାନସଭାକୁ ଘେରାଉ କରିବାକୁ ଚେଷ୍ଟା କରିଛି। ସୁରକ୍ଷା ବ୍ୟବସ୍ଥା ଭଙ୍ଗିବାକୁ ଉଦ୍ୟମ କଲାପରେ ପୋଲିସ କିଛି ବିଜେଡି କର୍ମୀଙ୍କୁ ଅଟକ ରଖିଛି। ଗାନ୍ଧୀ ମାର୍ଗରେ ଶହ ଶହ ସଂଖ୍ୟାରେ କର୍ମୀ ଗର୍ଜିଛନ୍ତି । ବହୁ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ, ୱାର୍ଡମେମ୍ବରଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ନେତା ସାମିଲ ହୋଇଛନ୍ତି । ପ୍ରତାପ ଜେନା, ସଞ୍ଜୟ ଦାସବର୍ମା, ସୁଲୋଚନା ଦାସ, ସୁଲତା ଦେଓ, ଚିନ୍ମୟ ସାହୁ ଏବଂ ଇପସିତା ସାହୁ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି । ବିକ୍ଷୋଭକାରୀମାନେ ଗୋଟିଏ ପରେ ଗୋଟିଏ ବ୍ୟାରିକେଡ୍ ଭାଙ୍ଗି ବିଧାନସଭା ଅଭିମୁଖେ ଅଗ୍ରସର ହେଉଥିବାବେଳେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପ୍ରତିହତ କରିବାକୁ ଚେଷ୍ଟା କରାଯାଇଛି । ଦୁଇଟି ବାଉଁଶ ବ୍ୟାରିକେଡ ଭାଙ୍ଗିଛନ୍ତି । ଆନ୍ଦୋଳନକାରୀଙ୍କୁ ରୋକିବା ପାଇଁ ପୋଲିସ ପକ୍ଷରୁ ପାଣି ମାଡ଼ କରାଯାଇଛି । ଫଳରେ କିଛି କର୍ମକର୍ତ୍ତା ଛତ୍ରଭଙ୍ଗ ଦେଇଥିବାବେଳେ ପୋଲିସ କିଛି ନେତା ଏବଂ କର୍ମୀଙ୍କୁ ଉଠାଇ ନେଇଛି । ମୋଟ ୨୮ ପ୍ଲାଟୁନ ପୋଲିସକୁ ମୁତୟନ କରାଯାଇଛି। ବିଧାନସଭାକୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଥିବାବେଳେ, ପରିସରରେ କଡ଼ା ନଜର ଜାରି ରହିଛି।














