ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ ଏବେ ମହିଳାମାନଙ୍କୁ ନିଯୁକ୍ତି ଦେବା ଆରମ୍ଭ କରିଛି । ଏହି ମହିଳା ଶାଖାର ନାମ ଜମାତ-ଅଲ-ମୋମିନତ ରହିବ। ସେମାନଙ୍କୁ ସ୍ୱତନ୍ତ୍ର ଭାବେ ଟ୍ରେନିଂ ମଧ୍ୟ ଦିଆଯିବାର ବ୍ୟବସ୍ଥା ରହିଛି । ଜୈସ୍ ଏହାର ପ୍ରଚାର ଶାଖା ଅଲ-କଲାମ ମିଡିଆ ଦ୍ୱାରା ଜାରି ଏକ ଚିଠି ମାଧ୍ୟମରେ ଏହି ସୂଚନା ଦେଇଛି । ଚିଠିରେ ଲୋଖାଯାଇଛି, ମହିଳା ଶାଖା ଜମାତ-ଉଲ-ମୋମିନତର ଭାର ସମ୍ଭାଳିବ ମସୁଦ ଆଝାରର ଭଉଣୀ ସାଦିଆ ଆଝାର । ଯାହାର ସ୍ୱାମୀ ୟୁସୁଫ ଆଝାର ଅପରେସନ ସିନ୍ଦୂରରେ ନିହତ ହୋଇଛି । ଜୈସ୍ ବର୍ତ୍ତମାନ ବାହାୱଲପୁର, କରାଚୀ, ମୁଜଫରାବାଦ, କୋଟଲି, ହରିପୁର, ମନସେହରାସ୍ଥିତ ମର୍କଜରେ ପଢ଼ୁଥିବା ଗରିବ ମହିଳାଙ୍କୁ ଆତଙ୍କବାଦୀ ସଂଗଠନର ମହିଳା ଶାଖାରେ ନିଯୁକ୍ତି ଦେଇଛି। ଏଥିରେ ଜୈସ୍ର ଆତଙ୍କବାଦୀ କମାଣ୍ଡରଙ୍କ ସ୍ତ୍ରୀମାନେ ମଧ୍ୟ ସାମିଲ ଅଛନ୍ତି। ପୂର୍ବରୁ ଏହି ଆତଙ୍କବାଦୀ ସଂଗଠନ ମହିଳାଙ୍କୁ ଯୁଦ୍ଧ କରିବା କିମ୍ବା ସୀମାରେ ସଂଘର୍ଷ କରିବା, ଘରୁ ବାହାରି ଅସ୍ତ୍ରଶସ୍ତ୍ର ଧରି ଲଢ଼େଇ କରିବାକୁ ବିରୋଧ କରି ଆସୁଥିଲା । କିନ୍ତୁ ଏବେ ସେହି ଆତଙ୍କୀ ସଂଗଠନ ମହିଳାଙ୍କୁ ଆତଙ୍କବାଦୀ ଭାବେ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ ଦେଇଥିବା କଡ଼ା ବାର୍ତ୍ତାକୁ ନେଇ ପାକିସ୍ତାନରେ ହଇଚଇ ସୃଷ୍ଟି ହେଇଛି । ପାକିସ୍ତାନରେ ଭୟର ବାତାବରଣ ରହିଛି। ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶଲ ଆସୀମ ମୁନିର ନିଜ ସେନାକୁ ପ୍ରସ୍ତୁତ ରହିବା ଏବଂ ଫିଟନେସ୍ ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସୀମ ମୁନିର ପୁଣି ଥରେ ଧମକ ଦେଇ କହିଛନ୍ତି ଯେ, ପାକିସ୍ତାନ ଯେକୌଣସି ଆକ୍ରମଣର ଜବାବ ଦେବାକୁ ପ୍ରସ୍ତୁତ ଅଛି ।ଯଦି କୌଣସି ଆକ୍ରମଣ ହୁଏ ତାହେଲେ ଆମର ସେନା ତାହାର ଜବାବ ଦେବ ।














