ସ୍ବଚ୍ଛ ଭାରତ ଅଭିଯାନକୁ ଆଗକୁ ବଢ଼ାଇବା ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଏକ ନୂତନ ପଦକ୍ଷେପ ନେଇଛି। ଯଦି କୌଣସି ଯାତ୍ରୀ ଟୋଲ୍ ପ୍ଲାଜାରେ ଅପରିଷ୍କାର ଶୌଚାଳୟ ଦେଖି NHAI କୁ ଅଭିଯୋଗ କରନ୍ତି, ତେବେ ସେହି ବ୍ୟକ୍ତିକୁ FASTag ରିଚାର୍ଜ ଆକାରରେ 1000 ର ପୁରସ୍କାର ମିଳିବ। ଏହି ବିଶେଷ ଯୋଜନା ୩୧ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଦେଶର ସମସ୍ତ ଜାତୀୟ ରାଜପଥରେ ଲାଗୁ ହେବ। ଏହି ଯୋଜନା ଅଧୀନରେ, ରାଜପଥ ଯାତ୍ରୀମାନେ ‘Rajmargyatra’ ଆପ୍ର ନୂତନ ସଂସ୍କରଣ ବ୍ୟବହାର କରିବାକୁ ହେବ । ଆଉ ଏହି ଆପ ଜରିଆରେ ସେମାନଙ୍କୁ ଅପରିଷ୍କାର ଶୌଚାଳୟର ଜିଓ-ଟ୍ୟାଗ୍ ଫଟୋ ଏବଂ ସମୟ ଅପଲୋଡ୍ କରିବାକୁ ପଡ଼ିବ। ଏହାସହ ସେମାନଙ୍କୁ ନିଜର ନାଁ, ସ୍ଥାନ, ଗାଡ଼ି ନମ୍ବର (VRN) ଏବଂ ମୋବାଇଲ୍ ନମ୍ବର ମଧ୍ୟ ଦେବାକୁ ପଡ଼ିବ। ଯାଞ୍ଚ ପରେ ଯଦି ସେହି ଅଭିଯୋଗ ସତ ପ୍ରମାଣିତ ହୁଏ, ତେବେ ଉକ୍ତ ଗାଡ଼ି ନମ୍ବରରେ ₹1,000 FASTag ରିଚାର୍ଜ ପ୍ରଦାନ କରାଯିବ। ଏହି ଯୋଜନା ଅନୁସାରେ ଗୋଟିଏ ଗାଡ଼ି ମାତ୍ର ଥରେ ହିଁ ପୁରସ୍କାର ପାଇପାରିବ। ଅର୍ଥାତ, ଯଦି ସେଇ ଗାଡ଼ିର ମାଲିକ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ, ମିଳିବ କେବଳ ଥରେ ₹1,000 ର FASTag ରିଚାର୍ଜ। ସେହିପରି, ଯଦି ଗୋଟିଏ ଅପରିଷ୍କାର ସୌଚାଳୟର ଫଟୋ ଅନେକ ଜଣ ଦେଇଥାନ୍ତି, ତେବେ ସେମାନଙ୍କ ମଧ୍ୟରୁ ପ୍ରଥମେ ଓ ସଠିକ୍ ଭାବରେ ରିପୋର୍ଟ କରିଥିବା ବ୍ୟକ୍ତିକୁ ମାତ୍ର ପୁରସ୍କାର ଦିଆଯିବ। ପ୍ରତ୍ୟେକ ସୌଚାଳୟ ପାଇଁ ମାତ୍ର ଥରେ ହିଁ ଉପହାର ମିଳିବ। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଦେଶରେ ସ୍ବଚ୍ଛତା ପ୍ରତି ଜନଜାଗୃତି ବଢ଼ାଇବା ।














