ପୀତବାସ ପଣ୍ଡା ହତ୍ୟା ମାମଲାକୁ ୧୭ ଦିନ ବିତିଲାଣି କିନ୍ତୁ ଏ ଯାଏଁ ହତ୍ୟାକାରୀର ଟେର୍ ପାଉନି ପୁଲିସ୍ । କଣ ପାଇଁ ହତ୍ୟାକାଣ୍ଡ ଘଟିଲା ତା ଉପରୁ ବି ହଟିନି ପରଦା । ଏପଟେ ପୁଲିସ କହିଛି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ତଦନ୍ତ । ଦୁଇ ଦିନ ଭିତରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହେବ ବୋଲି ସଙ୍କେତ ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର । ମାମଲାରେ ପୁଲିସ ଏଯାଏଁ ୮୦ରୁ ଅଧିକ ଜଣଙ୍କୁ ଜେରା କରିସାରିଥିବା ବେଳେ ହଜାରେରୁ ଅଧିକ ସିସି କ୍ୟାମେରା ଯାଞ୍ଚ କରିସାରିଲାଣି । ପୂର୍ବରୁ ୨ ପୂର୍ବତନ କର୍ପୋରେଟର ଓ ଛାତ୍ରନେତାଙ୍କୁ ଜେରା କରାଯାଇଥିଲା । ଗତକାଲି ସନ୍ଧ୍ୟାରେ ସହରର ଜଣାଶୁଣା ରାଜନେତାଙ୍କୁ ଉଠାଇ ନେଇ ପଚରାଉଚରା କରିଛି ପୁଲିସ ।ଏହି ଘଟଣାରେ କିଛି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୁରୁଣା ହତ୍ୟା ମାମଲାରେ ଜେଲ୍ରେ ଥିବା ଜଣେ ଅଭିଯୁକ୍ତଙ୍କୁ ମଧ୍ଯ ତଦନ୍ତ ପାଇଁ ରିମାଣ୍ଡରେ ନେଇଛି ପୁଲିସ୍ ।ହତ୍ୟାକାଣ୍ଡ ପାଇଁ ପୁଲିସ ବିହାର, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ପଶ୍ଚିମବଙ୍ଗରେ ବି ଛାପା ମାରି ଅଭିଯୁକ୍ତଙ୍କୁ ଉଠାଇ ଆଣିଛି । ବ୍ରହ୍ମପୁରର ଜଣେ ଛାତ୍ରନେତାଙ୍କୁ ବି ଦିଲ୍ଲୀରୁ ବାନ୍ଧିଛି ପୁଲିସ । ସମ୍ପୃକ୍ତ ଛାତ୍ରନେତାଙ୍କ ମୋବାଇଲ ଓ ସିମ୍ ଜବତ ହୋଇଛି ।














