ଭାରତ ଓ ଚୀନ୍ ପୁଣିଥରେ ସୀମା ବିବାଦ ନେଇ ଆଲୋଚନା କରିଛନ୍ତି। ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ବୁଧବାର ଜାଣାଇଛି ଯେ ଉଭୟ ଦେଶର ସେନା ପଶ୍ଚିମ ସୀମା ଅଞ୍ଚଳରେ ନିୟନ୍ତ୍ରଣ ଓ ପରିଚାଳନା ବିଷୟରେ ଗଭୀର ଆଲୋଚନା କରିଛନ୍ତି। ମନ୍ତ୍ରଣାଳୟ ଅନୁସାରେ, ଦୁଇ ପକ୍ଷ ଏବେ ସାମରିକ ଏବଂ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ସମ୍ପର୍କ ଜାରି ରଖିବାକୁ ସମ୍ମତ ହୋଇଛନ୍ତି। ଏହି ବୈଠକ ବିଷୟରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଦିଆଯାଇନାହିଁ। ଏହି ଆଲୋଚନା ଏପରି ସମୟରେ ହୋଇଛି ଯେତେବେଳେ ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କରେ ଧୀରେ ଧୀରେ ଉନ୍ନତି ହେଉଛି। ୨୦୨୦ରେ ଗାଲୱାନ୍ ଉପତ୍ୟକା ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଏହି ବର୍ଷ, ଉଭୟ ଦେଶ ସମ୍ପର୍କ ଉନ୍ନତ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଭାରତ ଓ ଚୀନ୍ ମଧ୍ୟରେ ଦୀର୍ଘ ଦିନ ପରେ ପୁଣି ଥରେ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି। କୋଲକାତାରୁ ଗୁଆଙ୍ଗଝୁକୁ ଇଣ୍ଡିଗୋ ଏୟାରଲାଇନ୍ସର ଉଡ଼ାଣ ପୁଣି ଥରେ ଆରମ୍ଭ ହୋଇଛି। ଉଭୟ ଦେଶ ଏହାକୁ ଦ୍ବିପକ୍ଷୀୟ ସମ୍ପର୍କରେ ଏକ ନୂଆ ଅଧ୍ୟାୟ ଭାବେ ସ୍ବୀକାର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍ର ତିଆନଜିନ୍ରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହା ବହୁ ବର୍ଷ ପରେ ତାଙ୍କର ଚୀନ୍ ଗସ୍ତ ଥିଲା। ଏହି ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ କରିଥିଲେ।ସି ଜିନପିଙ୍ଗ ଭାରତ-ଚୀନ୍ ସମ୍ପର୍କକୁ “ଡ୍ରାଗନ୍ ଏବଂ ହାତୀଙ୍କ ଏକତ୍ର ହେବା” ଭାବରେ ତୁଳନା କରିଛନ୍ତି। ସେ ଉଭୟ ଦେଶକୁ ପାରସ୍ପରିକ ବିଶ୍ବାସ ଓ ସହଯୋଗ ବୃଦ୍ଧି କରିବାକୁ ଅନୁରୋଧ ଜଣାଇଛନ୍ତି। ଏହି ଆଲୋଚନା ଦୁଇ ଦେଶ ମଧ୍ୟରେ ଉତ୍ତେଜନା କମାଇବା ଏବଂ ଏସିଆରେ ସ୍ଥିରତା ଆଣିବା ପାଇଁ ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।














