ପୋଲିସ ଏସଆଇ ନିଯୁକ୍ତି ଜାଲିଆତି ମାମଲାରେ ଜେଲରୁ ବାହାରିଲେ ପରୀକ୍ଷାର୍ଥୀ। ଦୀର୍ଘ ୧ ମାସ ପରେ ମଣ୍ଡଳ କାରାଗାରରୁ ବାହାରି ବେଲରେ ଆସିଲେ ୧୧୪ ପରୀକ୍ଷାର୍ଥୀ। ଗତକାଲି ୧୧୪ ଜଣଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଥିଲେ ବ୍ରହ୍ମପୁର ଭିଜିଲାନ୍ସ କୋର୍ଟ। ଆଜି ସେମାନେ ଜେଲରୁ ବାହାରିଛନ୍ତି। ୫୦ ହଜାର ଟଙ୍କା ଓ ଦୁଇ ଜଣ ଜାମିନଦାରଙ୍କ ଜରିଆରେ ଜେଲରୁ ଜାମିନରେ ବାହାରିଛନ୍ତି ପୋଲିସ ଏସଆଇ ପରୀକ୍ଷାର୍ଥୀ।ତେବେ ସର୍ତ୍ତରେ ରହିଛି, ‘କୌଣସି ଅଭିଯୁକ୍ତ ପୋଲିସର ବିନା ଅନୁମତିରେ ନିଜ ଅଞ୍ଚଳ ଛାଡ଼ି ରାଜ୍ୟ ବାହାରକୁ ଯାଇ ପାରିବେ ନାହିଁ । ଥାନାରେ ହାଜିରା ପକାଇବା ସହିତ ସାକ୍ଷୀଙ୍କୁ ପ୍ରଭାବିତ କରିପାରିବେ ନାହିଁ ‘। ତଦନ୍ତରେ, ତଦନ୍ତ ଅଧିକାରୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି । ଗତ ମାସ ୩୦ ତାରିଖରେ ୩ଟି ବସରେ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ଯିବା ବେଳେ ସେମାନଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ବ୍ରହ୍ମପୁର ପୁଲିସ୍ ଏବଂ କ୍ରାଇମବ୍ରାଞ୍ଚ ମୋଟ୍ ୧୨୩ ଜଣଙ୍କୁ ଗିରଫ କରିଥିଲା। ତେବେ ୯ ଜଣଙ୍କୁ ଜାମିନ୍ ମିଳିନଥିବାରୁ ସେମାନେ ଜେଲରେ ଅଛନ୍ତି। ଏହି ଘଟଣାରେ ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଏବେବି ଫେରାର୍ ଅଛି। ମୁଖ୍ୟମନ୍ତ୍ରୀ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି। ଏଯାଏଁ ମାମଲା ସିବିଆଇକୁ ହସ୍ତାନ୍ତର ହୋଇନାହିଁ ସେଥିପାଇଁ ପରବର୍ତ୍ତୀ ତଦନ୍ତ ଉପରେ ସମସ୍ତଙ୍କର ନଜର ରହିଛି।













